ପେଟ୍ରୋଲ ପମ୍ପ ଅଫିସ୍‌ ଝରକା ତାଡ଼ି ଚୋର ନେଇଗଲେ ୫ ଲକ୍ଷ

ବଲାଙ୍ଗୀର : ବଲାଙ୍ଗୀର ଟାଉନ୍‌ ଥାନା ସାମ୍ନାରେ ତଥା ଘରୋଇ ବସ୍‌ଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଭଜନଲାଲ ପେଟ୍ରୋଲ ପମ୍ପରେ ରବିବାର ରାତିରେ ଚୋରମାନେ ପଶି ଲକ୍ଷାଧିକ ଟଙ୍କା ନେଇଯାଇଛନ୍ତି। ଏସଂପର୍କରେ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନବିନ ଆରମ୍ଭ କରିଛି।

ସୂଚନା ଅନୁସାରେ, ଶନିବାର କୋଶଳ ବନ୍ଦ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ରବିବାର ପମ୍ପ ଖୋଲିଥିଲା। ଦିନ ତମାମ କାରବାର ଚାଲିଥିଲା। ତେବେ ବ୍ୟାଙ୍କ ରବିବାର ବନ୍ଦ ଥିବାରୁ ପମ୍ପର ହିସାବ ରକ୍ଷକ ଟଙ୍କା ଡ୍ରରେ ରଖିଦେଇ ଯାଇଥିଲେ। ସୋମବାର ସକାଳେ କର୍ମଚାରୀମାନେ ପମ୍ପ ଖୋଲିଥିଲେ। ତେବେ ଅଫିସ୍‌ର ଝରକା ଭଙ୍ଗା ହୋଇଥିବା ବେଳେ ଡ୍ର ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ହିସାବ ରକ୍ଷକ ଓ ପମ୍ପର ମାଲିକଙ୍କୁ ସୂଚନା ଦେଇଥିଲେ। ଟାଉନ୍‌ ଥାନାରେ ଅଭିଯୋଗ ପରେ ଆଇଆଇସି ଗୋକୁଳାନନ୍ଦ ସାହୁ ଓ ଅନ୍ୟମାନେ ସରଜମିନ ତଦନ୍ତ କରିଥିଲେ। ପମ୍ପର ଅଫିସ୍‌କୁ ଦୁଇଟି ଶାବଳରେ ତାଡ଼ି ଭିତରକୁ ଚୋରମାନେ ପଶିଥିବା ଦେଖିବାକୁ ମିଳିଥିଲା। ମିଳିଥିବା ତଥ୍ୟ ଅନୁସାରେ, ୫ଲକ୍ଷରୁ ଅଧିକ ଟଙ୍କା ଡ୍ରରେ ରହିଥିଲା। ଏହି ଟଙ୍କା ନେଇ ଚୋରମାନେ ଛୁ ମାରିଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା କହିଛନ୍ତି ଆଇଆଇସି ଶ୍ରୀ ସାହୁ।

ସମ୍ବନ୍ଧିତ ଖବର