ଚେସ୍‌ ବୋର୍ଡର ସହରରେ ଅଚଳାବସ୍ଥା:ଖେଳୁଛି ବିଦ୍ୟୁତ, ସବୁ ବିଭାଗର କାମ ଠପ୍‌

ବଲାଙ୍ଗୀର: ବଲାଙ୍ଗୀର ସହରର ପ୍ରତି ଗଳିକୁ ସହରର ରାସ୍ତା ସଂଯୋଗ ହୋଇଥିବାରୁ ଚେସ୍‌ ବୋର୍ଡର ସହର ବୋଲି କୁହାଯାଏ। କିନ୍ତୁ ବର୍ଷେ ହେଲା ସହରରେ ଅଚଳାବସ୍ଥା। ଗଳିକନ୍ଦି ଜାମ୍‌ ହୋଇଯାଇଥିବା ବେଳେ ବିଦ୍ୟୁତର ଲୁଚକାଳି ଖେଳ, ବିଭିନ୍ନ ବିଭାଗର କାମ ବି ଠପ୍‌ ହୋଇଯାଇଛି। ଏଥିପାଇଁ କୌଣସି ପ୍ରତିକାର ନାହିଁ ବୋଲି ଭାବିନେଲେଣି ସହରବାସୀ। ହଇରାଣ ହରକତ ହେଉଥିଲେ ବି ମୁଣ୍ଡ ପାତି ସହିଗଲେଣି ସମସ୍ୟା ସବୁକୁ।
କଚେରୀ ଛକରୁ ଲାଲଟିକ୍ରା ଯାଏ ରାସ୍ତା କଡ଼ ଗଛ କାଟିଦିଆଗଲା। ସିଭିଲ୍‌ କୋର୍ଟ ମଝିରେ ଥିବା କିଛି ଗଛକୁ କଟା ଯାଉଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ନାଁରେ ରାସ୍ତା ଖୋଳି ଦିଆଯାଇଛି। ପିଏଚ୍‌ଡି ପାଣି ବ୍ୟବସ୍ଥାରେ ବି ସମସ୍ୟା। ଦିନ ଦିନ ପାଣି ଆସୁ ନଥିବା ବେଳେ ଅନେକ ସ୍ଥାନରେ ପାଣି ପାଇପ୍‌ରୁ ଲିକ୍‌ ହେଉଛି। ସକାଳ ହେଲେ ଘରୋଇ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ପାଣି ପିଚକାରି ଭଳି ସ୍ପ୍ରେ ହେଉଥିବା ବେଳେ ପାଟଣା ଛକରେ ପିଏଚ୍‌ଡି ପାଇପ୍‌ରୁ ଲୋକେ ଖୋଲାଖୋଲି ପାଣି ନେଉଛନ୍ତି। ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଛି ଏଥିପାଇଁ। ୟେ ହେଉଛି ହାଲ୍‌।

ଯେଉଁ ରାସ୍ତାରେ ଗଲେ ଖାଲଢିପ। ନିର୍ମାଣ ନାଁରେ ରାସ୍ତାଗୁଡ଼ିକୁ ଅଧପନ୍ତରିଆ ହୋଇ ପଡିଛି। ସହରର ପ୍ରମୁଖ ଲକ୍ଷ୍ମୀଯୋର ନାଳା ଉପରେ ଥିବା ପୁରୁଣା ବ୍ରିଜ୍‌ ଅବସ୍ଥା ଶୋଚନୀୟ। ଫଳରେ ପଡ଼ା ପଡ଼ା ଦେଇ ଲୋକଙ୍କୁ ବୁଲି ବୁଲି ଯିବାକୁ ପଡୁଛି। ଟ୍ରାଫିକ ସମସ୍ୟା ବି ଗୁରୁତର ହେଲାଣି। ଏହି ଗୋଟିଏ ରାସ୍ତା ନୁହେଁ, ଠିକାଦାର ପଡ଼ା ଭିତର ରାସ୍ତା ସହ ମହିଳା ମହାବିଦ୍ୟାଳୟରୁ ରାଜେନ୍ଦ୍ର କଲେଜ ଛକ ରାସ୍ତା ବି ବିପଦ୍‌ଜନକ ହେଲାଣି। ସହରରେ ଏବେ ଅସହ୍ୟ ପରିସ୍ଥିତି। ନିର୍ମାଣ କାମ ନାଁରେ ପିଏଚ୍‌ଡି ପାଇପ୍‌ କଟି ଯାଉଛି, ବିଏସଏନ୍‌ଏଲ୍‌ ଲାଇନ ବି କାଟି ଦିଆଯାଇଛି। ଆଉ ତା’ ଉପରେ ଦାଉ ସାଧୁଛି ବିଦ୍ୟୁତ। ଗତ କିଛି ଦିନ ହେଲା ବାର୍ଷିକ ମରାମତି ନାଁରେ ଦିନ ତମାମ ଲାଇନ୍‌ କଟାଯାଇଥିବା ବେଳେ ଏବେ ପଡ଼ା ପଡ଼ା କରି ଲାଇନ୍‌ କଟାଯାଉଛି। ୩/୪ଟି ପଡ଼ାରେ ଲାଇନ୍‌ ରହୁ ନଥିବା ଦେଖିବାକୁ ମିଳୁଛି। ଶୁକ୍ରବାର ସଂଧ୍ୟାରୁ ପୁଣି ଆରମ୍ଭ ହୋଇଛି ପାୱାର କଟ୍‌। ସଂଧ୍ୟା ସମୟରେ ଗହଳି ହେଉଥିବା ବେଳେ ସାଢେ ୫ଟାରୁ ସାଢେ ୬ଟା ଯାଏ ବିଦ୍ୟୁତ କାଟ ଲୁଟେରା ଓ ଚୋରଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। ଏସବୁ ପ୍ରସଙ୍ଗକୁ ଦେଖିଲେ ସହରରେ ଅଚଳାବସ୍ଥା ସୃଷ୍ଟି ହେଲାଣି। ସହରବାସୀ ବି ଅତିଷ୍ଠ ହେଲେଣି।

ସମ୍ବନ୍ଧିତ ଖବର