ସଂରକ୍ଷଣ ହଟାଓ ଅଭିଯାନ, ବଲାଙ୍ଗୀରରେ ଭାରତ ବନ୍ଦର ପ୍ରଭାବ

ବଲାଙ୍ଗୀର:ସୋମବାର ସଂଧ୍ୟାରେ ସଂରକ୍ଷଣ ହଟାଓ ଦାବିରେ ମଙ୍ଗଳବାର ଭାରତ ବନ୍ଦକୁ ସମର୍ଥନ କରିବାକୁ ବଲାଙ୍ଗୀରରେ ଯୁବକମାନେ ବାଇକ ଶୋଭାଯାତ୍ରା କରିଥିଲେ। ସବୁକିଛି ବନ୍ଦ ପାଇଁ ଆହ୍ଵାନ ଦେଇଥିଲେ। ଆଉ ଏହାର ପ୍ରଭାବ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଶହ ଶହ ଯୁବକ ବାଇକ୍‌ରେ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ। ସ୍କୁଲ, କଲେଜ, ସରକାରୀ, ଘରୋଇ ଅଫିସ୍‌, ଦୋକାନ ବଜାର, ବ୍ୟାଙ୍କ, ଡାକଘର ସବୁ ବନ୍ଦ କରିଥିଲେ। ସେହିପରି ବସ୍‌ ଚଳାଚଳ ସକାଳୁ ବନ୍ଦ ହୋଇଥିବା ବେଳେ ସହର ଶୂନଶାନ ହୋଇଯାଇଥିଲା। ଦିନ ୧୦ଟା ବେଳକୁ ଏକପ୍ରକାର କର୍ଫୁ ପରିସ୍ଥିତି। ସହରର ବିଭିନ୍ନ ଛକ ବଜାରରେ ଟାୟାର ଜାଳି ପ୍ରତିବାଦ କରାଯାଇଥିବା ବେଳେ ସହର ଉପକଣ୍ଠର ବିଭିନ୍ନ ଗାଁରେ ମଧ୍ୟ ବନ୍ଦ ପାଳନ କରାଯାଇଥିଲା।
ରାଜନୀତି ନଥିଲା କି ବ୍ୟକ୍ତିଗତ ପରିଚିତି ନେଇ କେହି ଠିଆ ହୋଇ ନଥିଲେ। ସଂରକ୍ଷଣକୁ ବିରୋଧ କରୁଥିବା ଯୁବକମାନେ ହିଁ ଆସିଥିଲେ ସାମ୍ନାକୁ। ସାଧାରଣତଃ ଅନ୍ୟ ଆନ୍ଦୋଳନଗୁଡ଼ିକୁ ସରକାରୀ କର୍ମଚାରୀମାନେ ଆସୁ ନଥିବା ବେଳେ ସଂରକ୍ଷଣ ବିରୋଧୀ ସମାବେଶରେ ବହୁ ସରକାରୀ କର୍ମଚାରୀ ସ୍ୱତଃପ୍ରବୃତ ଭାବେ ଆସି ସାମିଲ ହୋଇଥିଲେ।

ନିଯୁକ୍ତିଗତ ନିୟମ ଥିବାରୁ ସିଧାସଳଖ ପ୍ରତିିବାଦ ସଭାରେ ବସି ନଥିଲେ ବି ପରୋକ୍ଷରେ ନୈତିକ ସମର୍ଥନ ଯୋଗାଇଥିଲେ ଯୁବକଙ୍କୁ। ମଙ୍ଗଳବାର ଆୟୋଜିତ ଭାରତ ବନ୍ଦ ଦଳିତ-ଆଦିବାସୀଙ୍କ ବନ୍ଦକୁ ବିରୋଧ କରି ଦର୍ଶାଯାଉଥିବା ବେଳେ ବଲାଙ୍ଗୀର କଚେରୀ ଛକରେ ଆୟୋଜିତ ପ୍ରତିବାଦ ସଭାରେ ଭିନ୍ନ ମତ ପ୍ରକାଶ ପାଇଥିଲା। ଉପସ୍ଥିତ ବକ୍ତାମାନେ ଅର୍ଥନୈତିକସ୍ତରରେ ପଛୁଆ, ସୀମାରେ ଲଢି ସହିଦ ହୋଇଥିବା ଯବାନଙ୍କ ଉତ୍ତରାଧିକାରୀ, ଦିବ୍ୟାଙ୍ଗ ଓ ଅନାଥଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ। କଚେରୀ ଛକରେ ପ୍ରତିବାଦ ସଭା ଆୟୋଜନ ପୂର୍ବରୁ ସହରର ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ନେଇ ଗଠିତ ସମାନତା ପାଇଁ ଏକତା ସଂଗଠନ ପକ୍ଷରୁ ବଲାଙ୍ଗୀର ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ୍‌କୁ ୨୦ ମିନିଟ ଅଟକ ରଖାଯାଇଥିଲା। ଏଥିସହିତ ଯୁବକମାନେ ଦଳବଦ୍ଧ ଭାବେ ସହର ସାରା ବୁଲି ବନ୍ଦକୁ ସମର୍ଥନ କରିବାକୁ ଲୋକଙ୍କୁ ମଙ୍ଗଳବାର ବି ଆହ୍ଵାନ ଦେଉଥିଲେ।

ପ୍ରତିବାଦ ସଭାରେ ସମାଜସେବୀ ଲଳିତ ନାୟକ, ସୌମେନ୍ଦ୍ର ପରିଚ୍ଛା, ଏଡଭୋକେଟ ଦେବାଶିଷ ବିଶ୍ୱାଳ, ଅନୀଲ ନନ୍ଦ, ସ୍ୱରୂପ ରଥଙ୍କ ସହ ଜ୍ୟୋତି ପାଣିଗ୍ରାହୀ, ଲିକୁନ ଆଚାର୍ଯ୍ୟ, ଅଂଶୁମାନ ତ୍ରିପାଠୀ, ବିକି ହୋତାଙ୍କ ସହ ବହୁ ଯୁବକ ସାମିଲ ହୋଇଥିଲେ। କେବଳ ବଲାଙ୍ଗୀର ସହର ନୁହେଁ, କୁରୁଲ ପଞ୍ଚାୟତରୁ ଆରମ୍ଭ କରି ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା, ବେଲପଡ଼ା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଜୋରଦାର ପଡିଥିଲା।
ଖପ୍ରାଖୋଲ: ଖପ୍ରାଖୋଲ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସୁଶିଲ ପଧାନ, ପ୍ରମୋଦ ବାରିକ, ନାରାୟଣ ଦଣ୍ଡସେନା, ପଞ୍ଚୁଦେବ ସାହୁ, ବୁଲୁ ପଣ୍ଡା, ବାଳଗୋପାଳ ଦାସ, ମୁନା ବାଗ, ବିଜୁ ବାରିକ, ରାଜୁ ସାହୁ, ତେଜ ଦଣ୍ଡସେନା, ସୁନିଲ ପଧାନ, ନରେନ୍ଦ୍ର ଭୋଇ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ।
ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ସଫଳ ହୋଇଛି। ଏହି ଗ୍ରାମର ଯୁବ ସମାଜ ପଞ୍ଚାନନ ସାହି, ଦେବକାନ୍ତ ପାଣିଗ୍ରାହୀ, ଶେଷଦେବ ପଟେଲ, ମଗଶିର ମଲ୍ଲିକ, ଅତୁଲ୍ୟ ଭୋଇ, ଓମକାର ଭୋଇ,ଗୋପି ଥନାପତି, ରାକେଶ ପଧାନ, କ୍ଷୀରୋଦ ପଧାନ, ପ୍ରଶାନ୍ତ ମିଶ୍ର, ଦେବ ବରିହା, କ୍ଷିରୋଦ ଭୋଇ, ଇନ୍ଦ୍ରମଣି ସାହୁ, ବିଭୁ ପାଣିଗ୍ରାହୀ, କାର୍ତ୍ତିକ ସେଠ, କାହ୍ନ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।
କଣ୍ଟାବାଞ୍ଜି: ତୁରେକେଲା, ବେଲପଡାରେ ବନ୍ଦର ପ୍ରଭାବ ଦେଖାଯାଇଥିଲା। ତୁରେକେଲାରେ ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ସାଧାରଣ ଏବଂ ଓବିସି ବର୍ଗର ଲୋକେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ଏଥିରେ ଯଶୋବନ୍ତ ପୁଟେଲ, ଦିଲୀପ ସାହୁ, କୁଳଦୀପ ବେହେରା, କାର୍ତ୍ତିକ ସାହୁ, ମନୋଜ ପାଣିଗ୍ରାହୀ, ଅରୁଣ ପଣ୍ଡା, ବସନ୍ତ ପଣ୍ଡା, ସୁବାସ ପୁଟେଲଙ୍କ ସମେତ ଅନ୍ୟ ମାନେ ବନ୍ଦରେ ସାମିଲ ହୋଇଥିଲେ।
ମୁରିବାହାଲ: ମୁରିବାହାଲରେ ବି ବନ୍ଦର ପ୍ରଭାବ ରହିଥିଲା। ୫୯ ନମ୍ବର ଜାତୀୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି ନେତା ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତା ପ୍ରତିବାଦ ସଭାରେ ବିଜେଡି ସଭାପତି ସିଦ୍ଧେଶ୍ୱର ଦାସ, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, ଯୁବ ଯାଦବ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣୀ, ରାଜିବ ଲୋଚନ ସେନାର ପ୍ରମୁଖ ରାଜିବ ମହାନ୍ତି, ଆଇନଜୀବି ଜୟଦେବ ପୁରୋହିତ, ସାଧାରଣ ବର୍ଗର ଯଦୁପତି ଅଗସ୍ତୀ, ବଣିକ ସଂଘ ପକ୍ଷରୁ ଅନୀଳ ଶର୍ମା ନେତୃତ୍ୱ ନେଇଥିଲେ। ମୁରିବାହାଲ ବ୍ଲକ୍‌ ପ୍ରଥମ ଥର ପାଇଁ ୧୮ଗୋଟି ଅନୁଷ୍ଠାନର କର୍ମକର୍ତ୍ତା ବନ୍ଦ ସଫଳ କରିବାରେ ସହଯୋଗ କରିଥିଲେ।
ଲାଠୋର: ଲାଠୋରରେ ବି ବନ୍ଦ ପାଳନ ସଫଳ ହୋଇଛି। ଲାଠୋର ଯୁବମୋର୍ଚ୍ଚା ଓ ମା’ ବସ୍ତ୍ରରେନ ବଣିକ ସଂଘର ସଦସ୍ୟମାନେ ସ୍ଥାନୀୟ କଲେଜ ଛକଠାରେ ବଲାଙ୍ଗୀର- ନୂଆପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏଥିରେ ବଣିକ ସଂଘର ସଭାପତି ରମାକାନ୍ତ ମହାନ୍ତି, ପ୍ରଦୀପ ଜୈନ, ଶଙ୍କର ମେହେର, ମୋନୁ ସିଂ, ଲଳିତ ଭଇଁସାଲ ପ୍ରମୁଖ ସାମିଲ ହୋଇଥିଲେ।
ସାଲେଭଟା/ଡୁଡୁକା: ଆଗଲପୁର ବ୍ଲକରେ ବନ୍ଦ ପାଳନ ହୋଇଥିଲା। ବିଭିନ୍ନ ସ୍ଥାନରେ କୁଞ୍ଜବିହାରୀ ତ୍ରିପାଠୀ, ପ୍ରଦୀପ ମେହେର, ଆଶିଷ ମେହେର, ବିକାଶ ଦାଶ, ସନ୍ତୋଷ ଦାଶ, ମହାଦେବ ପୁଟେଲ, ଦେବେନ୍ଦ୍ର ମେହେର, ଦିଲ୍ଲୀପ ପଣ୍ଡା, ପ୍ରଶାନ୍ତ ମେହେର, ବିଜୟ ମେହେର, ଶ୍ରୀବନ୍ତ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଦେଓଗାଁ: ଦେଓଗାଁ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। ଦେଓଗାଁରେ କମଳ ବାରିକ, ମଦନ ଥନାପତି, ଚକ୍ରବର୍ତ୍ତି ଡୁଡ଼କା, ବିଷ୍ଣୁ ବାଗ, ସୁବାସ ରଣା ପ୍ରମୁଖ ଦାୟିତ୍ୱ ନେଇଥିଲେ। ସେହିପରି ବଗଡ଼ାରେ ଆଠଗାଁରୁ ଦେଓଗାଁ ଭାୟା ବଗଡ଼ା ଛକରେ ମଧ୍ୟ ଗାଡ଼ି ମଟର ବନ୍ଦ କରିବାକୁ ନିବେଦନ କରାଯାଇଥିଲା।
ଗୁଡ଼ଭେଲା: ତୁଷରାରେ ଅନୁଷ୍ଠିତ ବନ୍ଦ ପାଳନରେ ଶିବାନନ୍ଦ ପାଣ୍ଡିଆ, ଶ୍ରୀକାନ୍ତ ବାଗ, ଦେବବ୍ରତ ପାଣିଗ୍ରାହୀ, କାହ୍ନା ପ୍ରଧାନ, ରିକୁ ସାହୁ, ଜଗଦୀଶ ପାଣ୍ଡିଆ, ବୁଲୁ ସାହୁ, ଭକ୍ତ ବାଗ, ଅବିନାଶ କେଡ଼ିଆ ଓ ଗୁଡ଼ଭେଲା ବନ୍ଦ ପାଳନରେ ରାମ ନିବାସ ଅଗ୍ରଓ୍ଵାଲ, ଗୌର ଚନ୍ଦ୍ର ରଣା, ଈଶ୍ୱର ବାଗ, ଜଗଦୀଶ ବାଗ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଟିଟିଲାଗଡ଼: ମଙ୍ଗଳବାର ଟିଟିଲାଗଡ଼ରେ ବି ସାଧାରଣ ବର୍ଗ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦ ପାଳନ ଟିଟିଲାଗଡ଼ ସାଧାରଣ ବର୍ଗ ଆବାହକ ତଥା ଆଇନଜୀବୀ ବୃନ୍ଦାବନ ପାଢ଼ୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ଆଇନଜୀବୀ ପ୍ରଦୀପ ରଥ, ସଞ୍ଜୟ ବେହେରା, ଶ୍ୟାମାପ୍ରସାଦ ଗରିଆ, ସୁମନ ବେହେରା, ମନୋଜ ହାତୀ ପ୍ରମୁଖ ସାମିଲ ଥିଲେ।
ଟିକ୍ରାପଡ଼ା: ସଇନ୍ତଲା ବ୍ଲକ ଟିକ୍ରାପଡ଼ାରେ ବନ୍ଦ ପାଳନ ସଫଳ ହୋଇଛି। ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏହି ବନ୍ଦ ପାଳନ ବେଳେ କିଛି ନାରା ବାଜି କରି ଟାୟାର ଜାଳି ରାସ୍ତା ଅବରୋଧକୁ କିଛି ଲୋକ ବିରୋଧ କରିଥିବା ବେଳେ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀଙ୍କ ପାଖରେ ଏତଲା ପହଞ୍ଚିଥିବା କଥା କହିଥିଲେ ଏବଂ ଏହାର ତଦନ୍ତ କରାଯିବ ବୋଲି କହିଥିଲେ।
ବେଲପଡ଼ା: ବେଲପଡ଼ାରେ ବି ଆଜି ବନ୍ଦ ପାଳନ ହୋଇଥିଲା। ହରିସ ସିଂ ବୁଡେକ, ଆଲୋକ ବେହେରାଙ୍କ ନେତୃତ୍ୱ ରେ ବେଲପଡା ବ୍ଲକର ଧୁମାଭଟା, ନୁନହାଡ, ସଲଣ୍ଡି, ମଣ୍ଡଳ, କପାଣି, ଗମ୍ଭାରୀ ଆଦି ଲୋକେ ଏଥିରେ ସାମିଲ ଥିଲେ। ଏ ଅବସରରେ ବାଇକ୍‌ ରାଲି ବି ହୋଇଥିଲା।
ପାଟଣାଗଡ: ପାଟଣାଗଡରେ ଜନମଞ୍ଚର ସଂପାଦକ ସୁଶୀଳ ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ନିର୍ମଳା ମଣ୍ଡପରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ମିଳିତ ମଞ୍ଚର ସଦସ୍ୟମାନେ ଏକ ବିଶାଳ ବାଇକ୍‌ ରାଲିରେ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତଙ୍କୁ ପ୍ରଦାନ କରିଥିଲେ। ମିଳିତ ମଞ୍ଚର ସଭାପତି ମୁରଲୀଧର ଷଡଙ୍ଗୀ, ମିଳିତ ମଞ୍ଚର ଆବାହକ ସୁଶୀଳ ନାୟକ, ଆଇନଜୀବୀ ଉପେନ୍ଦ୍ର ମିଶ୍ର, ଦର୍ପଗଞ୍ଜନ ପଟ୍ଟନାୟକ, ବାସୁଦେବ ପାଢୀ, ଶିବପ୍ରସାଦ ମିଶ୍ର, ନକୁଳମଣୀ ମିଶ୍ର, ବାଦଲ ଦାଶ, ସୁବାଷ ଆଚାର୍ଯ୍ୟ, ବାଦଲ ମିଶ୍ର ପ୍ରମୁଖ ସାମିଲ ଥିଲେ।
ସଇନ୍ତଲା: ସଇନ୍ତଲାରେ ବି ବନ୍ଦ ପାଳନ କରାଯାଇଥିଲା। ସ୍ଥାନୀୟ ବାଳିକା ଉଚ୍ଚ ଆବାସିକ ବିଦ୍ୟାଳୟ (ଏସ୍‌ଏସ୍‌ଡି)ଠାରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ସେହିପରି ଓଏଭିଏସ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ମଧ୍ୟ ବାତିଲ ହୋଇଯାଇଥିଲା। ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର