ଅସହାୟ ବୃଦ୍ଧାଙ୍କ ମୃତ୍ୟୁ:ଭତ୍ତା ଓ ରାସନ କାର୍ଡରୁ ବଞ୍ଚିତ ଥିଲେ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତର ଯୁଏରପରାର ମୁଙ୍ଗେରେ ଛୁରା (୭୨)ଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ହୋଇଛି। ସେ ବହୁ ଦିନ ହେଲା ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ପରେ ପରିବାରର ଲୋକେ ଗାଁରେ ଶବ ପୋତି ଦେଇ ଅନ୍ତିମ ସଂସ୍କାରର କାର୍ଯ୍ୟ କରିଛନ୍ତି।
ମୁଙ୍ଗେରେ କୁଲି ମଜୁରି କରି ଗୁଜରା ମେଣ୍ଟାଉଥିଲେ। ୫ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଦର୍ଜି ଛୁରାଙ୍କ ମୃତ୍ୟୁ ହୋଇ ସାରିଥିଲା। ସନ୍ତାନ ସନ୍ତତି କେହିନଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପର ଦୁଆରେ କାମ କରି ଚଲୁଥିଲେ। କିଛି ମାସ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହେବାରୁ ନିକଟସ୍ଥ ତୁରେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରେ ଘରକୁ ଆସି ଖଟରେ ପଡ଼ି ରହିଥିଲେ। ମୁଙ୍ଗେରେ ବିଧବା ହୋଇଥିବା ବେଳେ ଏପର୍ଯ୍ୟନ୍ତ ଭତ୍ତା ଏବଂ ଖାଦ୍ୟସୁରକ୍ଷା କାର୍ଡ ପାଇନଥିବା ଜଣାପଡ଼ିଛି।

ମୁଙ୍ଗେରେ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଥିବା ଆତ୍ମିୟ ସ୍ୱଜନଙ୍କଠାରୁ ପ୍ରକାଶ। ମୁଙ୍ଗେରେ ଖଟରେ ପଡ଼ିଥିବା ବେଳେ ନିକଟସ୍ଥ ଭାଲୁମୁଣ୍ଡା ଗ୍ରାମର ତାଙ୍କ ନଣନ୍ଦ ସୁରୁ ସୁନା, ପୁତୁରା ଲଛିମ ଛୁରା ତାଙ୍କ ଦେଖାଶୁଣା କରୁଥିଲେ। ଆଜି ସକାଳେ ଚା, ବିସ୍କୁଟ ଖାଇ ସାରିବା ପରେ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି। ମୃତ୍ୟୁ ଖବର ପାଇଲା ପରେ ଗନ୍ଧରାବନ୍ଧର ସରପଞ୍ଚ ଭଗବାନ ଛୁରା, ଇଓ ଚିନ୍ତାମଣି ରଣା, ଆଇସିଡିଏସ୍‌ ସୁପରଭାଇଜର ସୁଷମା ଜାନି ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ୨ଦିନ ପୂର୍ବରୁ ସରପଞ୍ଚ ଖବର ପାଇ ଦେଖିଯାଇଥିବା ବେଳେ ତାଙ୍କୁ ୨୦ କେଜି ଚାଉଳ ଦିଆଯାଇଥିବାର କହିଛନ୍ତି। ପାଖ ପଡ଼ୋଶୀଙ୍କ କହିବା ଅନୁସାରେ ରୋଗାକ୍ରାନ୍ତ ଥିବା ବେଳେ ଧୀରେ ଧୀରେ ସେ ଖାଦ୍ୟ ଖାଇବାର ବନ୍ଦ କରି ଦେଇଥିଲେ। ତେବେ ତାର କୋଠରିରେ କିଛି ଖାଇବା ଖାଦ୍ୟ ସାମଗ୍ରୀ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଙ୍ଗନବାଡି କର୍ମୀ ଜେମାମଣି ପୁଟେଲ ତାଙ୍କ ଦେଖାରେଖା କରୁଥିବା ବେଳେ ଖାଦ୍ୟ ଅଭାବର କୌଣସି କାରଣ ନଥିବା କହିଛନ୍ତି। ସ୍ଥାନୀୟ ଅତିରିକ୍ତ ତହସିଲଦାର ଜୟଶ୍ରୀ ରେଡ୍ଡି ପୂର୍ବାହ୍ନରେ ଘଟଣାସ୍ଥଳକୁ ଯାଇ ମୃତ୍ୟୁ ନେଇ ଅନୁଧ୍ୟାନ କରିଥିଲେ। ଏହି ସମୟରେ ଆଇସିଡିଏସ୍‌ ସୁପରଭାଇଜର ପଡ଼ୋଶୀଙ୍କ ବୟାନ, ସରପଂଚ, ଅଙ୍ଗନବାଡ଼ି କର୍ମୀଙ୍କ ଲିଖିତ ମତାମତ ସଂଗ୍ରହ କରିଛନ୍ତି। ସରପଂଚ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଆତ୍ମିୟ ସ୍ୱଜନଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର