ପାଟଣାଗଡ଼: ସ୍କୁଲ ଗୃହ ନିର୍ମାଣ ଦାବିରେ ସ୍କୁଲରେ ତାଲା ପକାଇବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି। ୨ ବର୍ଷ ପୂର୍ବରୁ ଦୁର୍ବଳ ଥିବା କୋଠରୀ ଭାଙ୍ଗିଥିଲେ, ଏ ଯାଏଁ କେବଳ ଫାଉଣ୍ଡେସନରେ ସିମିତ ରହିଥିବାରୁ ଏହାର ବିରୋଧରେ ରାସ୍ତା ଅବରୋଧ କରାଯାଇଥିଲା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପାଟଣାଗଡ଼ ସହରର ବ୍ରହ୍ମପୁରା ପ୍ରାଥମିକ ବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ଏଥିରେ ୧୦୯ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଅଛନ୍ତି। ପୁରୁଣା ଶ୍ରେଣୀ କୋଠରୀ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ତାକୁ ଦୀର୍ଘ ୨ ବର୍ଷ ହେବ ଭାଙ୍ଗିଥିଲେ। ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗତ ବର୍ଷେ ହେଲା ଫାଉଣ୍ଡେସନ ପଡ଼ିଛି। ହେଲେ ଏ ଯାଏଁ ନିର୍ମାଣ କାର୍ଯ୍ୟ ପୁରଣ ନ ହେବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ମାରି ପାଟଣାଗଡ଼ - କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସେହି ରାସ୍ତାରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଅଟକ ରଖିଥିଲେ ଆନ୍ଦୋଳନକାରୀ। ଘଟଣାସ୍ଥଳରେ ପୁଲିସ ଓ ସହକାରୀ ଜିଲ୍ଲାପାଳ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।