ସ୍ୱଧାର ଅନ୍ତେବାସୀ ଅପହରଣ ମାମଲା: ଥାନାରୁ ଅଭିଯୁକ୍ତ କନେଷ୍ଟବଳ ଚମ୍ପଟ ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀର ସାଲେପାଲିସ୍ଥିତ ସ୍ୱଧାର ଗୃହରେ ଥିବା ଜଣେ ଛତିଶଗଡ଼ି ଅନ୍ତେବାସୀଙ୍କୁ ଜଣେ କନେଷ୍ଟବଳ ଅପହରଣ କରି ନେଇଥିଲେ ତିନି ଦିନ ତଳେ। ଏ ସଂପର୍କରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ କନେଷ୍ଟବଳଙ୍କୁ ଥାନାରେ ଅଟକ ରଖିଥିଲା। ଅନ୍ୟପଟେ ଅପହୃତ ଯୁବତୀଙ୍କର କୌଣସି ଖୋଜଖବର ପାଇପାରୁନି ପୁଲିସ। ତିନି ଦିନ ଧରି ଟାଉନ୍‌ ଥାନାରେ ଅଟକ ଥିବା କନେଷ୍ଟବଳ ବାବୁ ଆଜି ଚତୁରତାର ସହ ଥାନା ପରିସରରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ଦୌଡ଼ାଇ ଦୌଡ଼ାଇ କନେଷ୍ଟବଳଙ୍କୁ କାବୁ କରିଥିଲେ ପୁଲିସ ବାବୁମାନେ।

ସୂଚନଯୋଗ୍ୟ ଯେ, ୨୦୧୬ ସେପଟେମ୍ବର ୧ ତାରିଖରେ ସ୍ଥାନୀୟ ଟିକ୍ରାପଡ଼ା ଛକରୁ ଦୁଇଜଣ ଛତିଶଗଡି ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ସେମାନଙ୍କୁ ସ୍ଥାନୀୟ ସ୍ୱଧାର ଗୃହରେ ରଖାଯାଇଥିଲା। କିଛି ଦିନ ହେଲା ଜଣେ ଛତିଶଗଡି ଯୁବତୀଙ୍କ ସହ କଥା ହେଉଥିଲେ ଇନ୍ଦ୍ରମଣି ଯୁଏଡ ନାମକ ଜଣେ କନେଷ୍ଟବଳ। ତିନି ଦିନ ତଳେ ସ୍ୱଧାର ଗୃହ ପରିସରରୁ ଛତିଶଗଡି ଯୁବତୀଙ୍କୁ ବାଇକ୍‌ରେ ବସାଇ ନେଇ ଯାଇଥିଲେ। ଏ ସଂପର୍କରେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଜାତିଭାଇ ବୋଲି ଥାନାରେ ଅଟକ ରଖି ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବାକୁ ପୁଲିସ ପ୍ରୟାସ କରିଥିଲା।

ତେବେ ଆଜି ଅଟକ କନେଷ୍ଟବଳ ପୁଲିସକୁ ନାକେଦମ କରି ଦେଇଥିଲେ। ଆପ୍‌ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିବାରୁ ପୁଲିସ ଟିମ୍‌ ସେଠାକୁ ଯାଇଥିଲେ। ଅଟକ କନେଷ୍ଟବଳଙ୍କୁ ଜଗିବା ପାଇଁ ଜଣେ ମହିଳା କନେଷ୍ଟବଳଙ୍କୁ ମୁତୟନ କରାଯାଇଥିଲା। କନେଷ୍ଟବଳ ଇନ୍ଦ୍ରମଣି ମହିଳା କନେଷ୍ଟବଳଙ୍କୁ ଠେଲାପେଲା କରି ଥାନା ପଛପଟୁ ଦୌଡ଼ି ପଳାଇ ଥିଲେ। ଦୌଡ଼ି ପଳାଇଥିବା ସୂଚନା ପାଇବା ପରେ ପୁଲିସ ବାବୁମାନେ ଧାଇଁଥିଲେ। ବହୁତ କସରତ ପରେ ତାଙ୍କୁ ଯାଦବ ଭବନ ନିକଟରୁ କାବୁ କରିଥିଲେ। କନେଷ୍ଟବଳ ବାବୁଙ୍କ ଏଭଳି କାରନାମା ଟାଉନ୍‌ ଥାନା ପୁଲିସକୁ ଆଜି ହରଡ଼ଘଣାରେ ପକାଇଥାନ୍ତା, କିନ୍ତୁ ପୁଲିସ ବାବୁମାନେ କାବୁ କରିନେବା ଫଳରେ ଅପବାଦରୁ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର