ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ କରାଯାଇଥିଲା। ଆନ୍ଦୋଳନ ‌ଯୋଗୁଁ ପୂର୍ବରୁ ସହରର ସମସ୍ତ ସରକାରୀ ଅଫିସ ବନ୍ଦ ରହିଥିବା ବେଳେ ଆଜି ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ସ୍କୁଲ ଆଦି ବନ୍ଦ ରହିଥିଲା। ଏହା ସହ ଯାନବାହନ ଚଳାଚଳ ଉପରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ସହରବାସୀ ସ୍ୱତଃପ୍ରବୃତ ଭାବେ ବନ୍ଦକୁ ସମର୍ଥନ କରିଥିବା ବେଳେ ସକାଳୁ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମାନେ ପିକେଟିଂ ମଧ୍ୟ କରିଥିଲେ। ଏହାସହ ସହରର ପେଟ୍ରୋଲ ପମ୍ପ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ ସରକାର କେତେ ଦିନ ପର୍ଯ୍ୟନ୍ତ ଟିଟିଲାଗଡ଼ବାସୀଙ୍କ ଧୌର୍ଯ୍ୟର ପରୀକ୍ଷା ନେବାକୁ ଚାହୁଁଛନ୍ତି ତାହା ଦେଖି ନିଅନ୍ତୁ। ଏହି ଆନ୍ଦୋଳନ ଏବେ କୌଣସି ସୀମା ସରହଦ ମଧ୍ୟରେ ସୀମିତ ନ ରହି ଉପଖଣ୍ଡର ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପି ସାରିଲାଣି। ବର୍ତ୍ତମାନ ଚଳିତ ସରକାରଙ୍କ ଶେଷ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ସରକାର ଏହି ଦାବିକୁ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରନ୍ତୁ। ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ଓ ଯେ କୌଣସି ପରିସ୍ଥିତି ଉପୁଜିଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି। ଆଜିର ଏହି ବନ୍ଦ ପାଳନରେ କ୍ରିୟାନୁଷ୍ଠାନ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ବହୁ ସଂଖ୍ୟାରେ କମିଟି ସଦସ୍ୟ ଉପସ୍ଥିତ ଥିଲେ।

ଗଣଧାରଣାରେ ସାମିଲ ହେଲେ ମାଲିଝର ଏସ୍‌ଏଚ୍‌ଜି
ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ଚାଲିଥିବା ଗଣଧାରଣାରେ ମଙ୍ଗଳବାର ୯୬ ଦିନରେ ପହଞ୍ଚିଥିବା ବେଳେ ଆଜି ଏହି ବ୍ଲକ ଅନ୍ତର୍ଗତ ମାଲିଖର ଗାଁର ଭଗବତୀ ଏସଏଚଜି ଓ ମା’ ସରସ୍ୱତୀ ଏସଏଚଜି ସାମିଲ ହୋଇଛନ୍ତି। ଏ ଅବସରରେ ସେମାନେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଆଜିର ଏହି ଗଣଧାରଣାରେ ଏହି ୨ ଏସଏଚଜିର ପୁଷ୍ପାଞ୍ଜଳି ବାଗ, ଆଲା ବାଗ, ସୁଜାତା ବାଗ, ଦୁର୍ମିଲା ବଗର୍ତ୍ତି, ଗୁଲାପି ବାଗ, ସବାବତି ପୋଢ, ପୂର୍ଣିମା ପୋଢ, ସବା ବାଗ, ପୂର୍ଣମୀ ପଟେଲ, ସୂର୍ଯ୍ୟ ହେର୍ଣା, ପାର୍ବତୀ ପୋଢ, ରଞ୍ଜିତା ବାଗ ପ୍ରମୁଖଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର