ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି: ୧୨ ଘଣ୍ଟିଆ ବନ୍ଦ ଡାକରା, ସଇଁତଳାରେ ବି ଜୀବନଯାତ୍ରା ବ୍ୟାହତ

ବଲାଙ୍ଗୀର : ପୁଣି ତେଜିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ  ବନ୍ଦ ପାଳନ କରାଯିବ। ଏଥିଲାଗି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଛକମା‌ନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇଛନ୍ତି।

ଏହି ବନ୍ଦର ପ୍ରଭାବରେ ଟିଟିଲାଗଡ଼ରେ ଦୋକାନବଜାର ମନ୍ଦ ରହିଛି। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଆଜି ଏଠାକାର ସମସ୍ତ ସ୍କୁଲ କଲେଜ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ଏବଂ ସଇଁତଲାକୁ ଉପଖଣ୍ଡ ମାନ୍ୟତା ଦାବି ନେଇ ସଇଁତଲାରେ ବି ୧୨ ଘଣ୍ଟିଆ ବନ୍ଦର ଡାକରା ଦେଇଛି ସଇଁତଲା ବଣିକ ସଂଘ ଓ ସଇଁତଲା ବିକାଶ ପରିଷଦ। ଆଜି ସଇଁତଳାରେ ମଧ୍ୟ ବନ୍ଦ ପାଳନ ଜାରି ରହିଛି। ଏହାଫଳରେ କଳାହାଣ୍ଡି -ବଲାଙ୍ଗୀର ଜାତୀୟ ରାଜପଥ ୨୬ରେ ଯାନବାହାନ ଚଳାଚଳ ଠପ ହୋଇ ପଡ଼ିଛି। ଟିଟିଲାଗଡ଼କୁ ଜିଲ୍ଲା ଦାବିକୁ ସମର୍ଥନ ଦେଇଛନ୍ତି ସଇଁତଳାବାସୀ। ଏଠାରେ ଆଜି ଦୋକାନ ବଜାର, ସରକାରୀ ଅଫିସ ସମେତ ଗାଡ଼ି ଚଳାଚଳ ବି ସଇଁତଲାରେ ବନ୍ଦ ରହିଛି। ଆଜି ସଇଁତଳାରେ ମଧ୍ୟ ଜୀବନଜୀବିକା ଠପ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର