ବଲାଙ୍ଗୀର: ସାରା ରାଜ୍ୟରେ ପିଲା ଚୋର ଆତଙ୍କ ଦେଖାଯାଇଥିବା ବେଳେ, ସୋମବାର ବଲାଙ୍ଗୀରରେ ବି ଏଭଳି ଘଟଣାର ପୁନରାବୃର୍ତ୍ତି ଦେଖିବାକୁ ମିଳିଛି। ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ନାବାଳକ ଦ୍ୱୟ ଖସି ଆସିଛନ୍ତି। ଟାଉନ ପୁଲିସ ୨ ଜଣ ନାବାଳକକୁ ଉଦ୍ଧାର କରିଛି। ଅପହୃତ ବାଳକ ଅଭିଷେକର କହିବା ଅନୁସାରେ ସେ ନିଜ ମାମୁଁ ପୁଅ ଜିନୁ ସହିତ ଷ୍ଟାଡିୟମକୁ ଖେଳିବା ପାଇଁ ଯାଇଥିଲା। ଏହି ସମୟରେ କେହି ଜଣେ ସେମାନଙ୍କୁ ପଛପଟୁ ଧରିପକାଇଥିଲା। ପିଲା ୨ଟା କିଛି ଭାବିବା ପୂର୍ବରୁ ସେଠାରୁ ଅପରହରଣ କରି ନିଆଯାଇଥିଲା। ତା’ପର ଘଟଣା କ’ଣ ହେଲା, ସେ ବିଷୟରେ ସେମାନେ ଜାଣି ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚେତା ଆସିବା ପରେ ଅଭିଷେକ ଓ ଜିନୁ ଦେଖିଲେ ଯେ, ସେମାନଙ୍କୁ ବନ୍ଦ ଥିବା ଏକ କୋଠରୀ ଭିତରେ ରଖାଯାଇଛି। ଅଭିଷେକର ହାତ ଗୋଡ ବନ୍ଧା ହୋଇଥିବା ବେଳେ ଜିନୁକୁ ଏକ ବସ୍ତା ଭିତରେ ବନ୍ଦ କରାଯାଇଛି। ଜୀବନ ବଞ୍ଚାଇବା ପାଇଁ ପ୍ରଥମେ ଅଭିଷେକ କୌଶଳ କ୍ରମେ ହାତ ଗୋଡ଼କୁ ଫିଟାଇବା ପରେ ଜିନୁକୁ ବନ୍ଧା ଯାଇଥିବା ବସ୍ତା ଖୋଲିଥିଲା। ସେମାନେ ଘର ଭିତରେ ଅନ୍ୟମାନଙ୍କର ଅନୁପସ୍ଥିତିର ସୁଯୋଗ ଦେଖି ଖସି ଆସି ସେଠାରୁ ଦ୍ରୁତ ଗତିରେ ଦୌଡ଼ି ବିକ୍ରମ ଛକରେ ପହଞ୍ଚି ଥିଲେ। ନାବାଳକ ଦ୍ୱୟକୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ କିଏ ଓ କାହିଁକି ଅପହରଣ କରିଥିଲା, ସେ ସଂପର୍କରେ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।