ବିଦ୍ୟୁତ୍‌ ଯୋଗାଣକୁ ନେଇ ଗୋଷ୍ଠୀ ସଂଘର୍ଷ,ଖଣ୍ଡା ଚୋଟରେ ୨ ଗୁରୁତର

ସଇଁନ୍ତଲା: ବିଦ୍ୟୁତ ଯୋଗାଣକୁ କେନ୍ଦ୍ର କରି ସଇଁନ୍ତଲା ବ୍ଲକ୍‌ ଭଦ୍ରା ଗ୍ରାମରେ ରବିବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଖଣ୍ଡା ଚୋଟରେ ସିକନ୍ଦର କୁମ୍ଭାର (୪୫) ଓ ସୁଶାନ୍ତ ସୁନା (୪୦) ଗୁରୁତର ଆହତ ହୋଇଛନ୍ତି। ସୁଶାନ୍ତଙ୍କୁ ବଡ଼ମାଳରେ ଚିକିତ୍ସା କରା ଯାଇଥିବା ବେଳେ ସିକନ୍ଦରଙ୍କୁ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବଲାଙ୍ଗୀର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣରେ ଅନ୍ୟ କିଛି ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ବଡ଼ମାଳ ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଭଦ୍ରା ଗ୍ରାମରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ଗାଁରେ ଥିବା ବିପିଏଲ ଟ୍ରାନ୍ସଫର୍ମରରୁ ଗ୍ରାମକୁ ବିଦ୍ୟୁତ ଯୋଗାଣ ପାଇଁ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ କହିଥିଲେ। ବିଦ୍ୟୁତ ବିଭାଗର କର୍ମଚାରୀମାନେ ଗ୍ରାମର ଦୁଇଟି ପଡ଼ାକୁ ଦୁଇ ଭାଗରେ ବିଭକ୍ତ କରି ବିଦ୍ୟୁତ ଯୋଗାଣ କରିଥିଲେ। ଗ୍ରାମରେ ଜଣେ ବ୍ୟକ୍ତି ନିଜ ଘରକୁ ବିଦ୍ୟୁତ ଯୋଗାଣ ହୋଇ ନପାରିବାରୁ ଗ୍ରାମବାସୀଙ୍କ ସହ ରବିବାର ରାତି ୮ଟା ସମୟରେ ଝଗଡ଼ା କରିବା ସହ ମାଡ଼ପିଟ ଆରମ୍ଭ କରି ଦେଇଥିଲେ। ଏହି ଘଟଣାକୁ ଦେଖି ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସଂପୃକ୍ତ ବ୍ୟକ୍ତି ଜଣକ ନିଜର କିଛି ସର୍ମ୍ପକୀୟଙ୍କୁ ନେଇ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ୧୦ରୁ ୧୫ଜଣ ବ୍ୟକ୍ତି ଖଣ୍ଡା, ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ। ସିକନ୍ଦରଙ୍କ ଆଖି, ମୁଣ୍ଡ ଓ ଗୋଡ଼ରେ ଖଣ୍ଡା ଚୋଟ ବାଜିଥିଲା। ସେହିପରି ସୁଶାନ୍ତଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି।

ସମ୍ବନ୍ଧିତ ଖବର