ରେଳଷ୍ଟେସନ ରାସ୍ତାରେ ଗଣ୍ଡଗୋଳ ମାମଲାରେ ୩ ଗିରଫ

ବିଏସ୍‌ପି ପ୍ରାର୍ଥୀଙ୍କ ସଂପୃକ୍ତି ଅଭିଯୋଗକୁ ପୁଲିସର ଅସ୍ବୀକାର

ବଲାଙ୍ଗୀର: ବଲାଙ୍ଗୀର ରେଳଷ୍ଟେସନ ରାସ୍ତାରେ ଗତ ବୁଧବାର ଏକ ଗଣ୍ଡଗୋଳ ହୋଇଥିଲା। ମାଲପଡାର ପିଣ୍ଟୁ ପରୁଆ ନାମକ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ରମେଶ ଭୋଇ, ସୁରୁବାବୁ ଓରଫ ଜନାର୍ଦ୍ଦନ ବାଗ ଓ ବିକ୍ରମ ତାଣ୍ଡି ରହିଛନ୍ତି। ମଦ କିଣାବିକାକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ମାମଲାରେ ବିଏସପି ପ୍ରାର୍ଥୀ ଦ୍ରୋଣ କୁମ୍ଭାରଙ୍କ କୌଣସି ସଂପୃକ୍ତି ନଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁତର ପିଣ୍ଟୁ ପରୁଆ ବହୁଗୁଡିଏ ମାମଲାରେ ସମ୍ପୃକ୍ତ ରହିଛି। ସେ ଗତକାଲି ରାତିରେ ରେଳଷ୍ଟେସନ ଦେଶୀ ମଦଭାଟିଠାରେ ମଦପିଇ ଥିଲା। ସେହି ମଦଭାଟିକୁ ଛବି ବାଗ ମଦ କିଣିବାକୁ ଆସିଥିବା ସମୟରେ ମାରପିଟ କରିଥିଲା। ପରେ ଛବି ପଡାକୁ ଯାଇ ତାଙ୍କ ସମର୍ଥକମାନଙ୍କୁ ଘଟଣା ସଂପର୍କରେ କହିଥିଲେ। ଏହାପରେ ୬ ଜଣ ଆସି ପିଣ୍ଟୁକୁ ଆକ୍ରମଣ କରିଥିଲେ। ତେବେ ପିଣ୍ଟୁ ବିଏସପି ପ୍ରାର୍ଥୀ ଦ୍ରୋଣଙ୍କ ନାଁରେ ଯାହା ଅଭିଯୋଗ ଉଠାଇଥିଲା ସେଭଳି କିଛି ନୁହଁ ବୋଲି ତଦନ୍ତ ପରେ ଟାଉନ ଥାନା ଆଇଆଇସି ତୋଫାନ ବାଗ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ବିଏସପି ପ୍ରାର୍ଥୀ ଦ୍ରୋଣ ନିଜର ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କୁ ରାଜନୈତିକ ଚକ୍ରାନ୍ତ କରି ଫସାଇବାକୁ ଉଦ୍ୟମ ହୋଇଥିଲା। ଘଟଣାରେ ତାଙ୍କର କୌଣସି ସଂପର୍କ ନାହିଁ।

ସମ୍ବନ୍ଧିତ ଖବର