ଧଳା ସୁନାର ଅଭାବୀ ବିକ୍ରି:ମଣ୍ଡି ନ ଖୋଲି କାରଖାନାରେ ମୂଲ୍ୟ ନିର୍ଦ୍ଧାରଣ

ଚାଷୀ ମାନସିକ ନିର୍ଯାତନାର ଶିକାର

ଦେଓଗାଁ: ଦେଓଗାଁରେ କପାର ଅଭାବୀ ବିକ୍ରି ଚାଲିଛି। ଅନେକ ଚାଷୀ ସରକାରୀ ସ୍ବୀକୃତି ନ ଥିବା ବିହନକୁ ଜମିରେ ବ୍ୟବହାର କରୁଥିବାରୁ ‌ଏହା କପାର ଉର୍ବରାତାକୁ ହ୍ରାସ କରୁଛି। ସେପଟେ ଏଥିରୁ ଉତ୍ପାଦିତ ଦ୍ରବ୍ୟର ବିପଣନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କୁ ହତାଶ ହେବାକୁ ପଡ଼ୁଛି। ପରିଶ୍ରମ କରି ଚାଷୀ ପ୍ରାପ୍ୟ ପାଇପାରୁ ନାହିଁ। କଳା ମାଟି ସଙ୍ଗରେ ଉତ୍ତମ ଜଳବାୟୁ ଓ ମାଟିର ଜଳ ଧାରଣା କ୍ଷମତା ଅଧିକ ଥିବାରୁ ଏହି ମାଟିରେ ଉତ୍ପାଦିତ କପାରେ ୩୦ ରୁ ୩୩ ମିଲିମିଟର ଷ୍ଟେପଲ୍‌ ଲେନ୍ଥ ରହିଥାଏ। ତେଣୁ ବିଶ୍ବ ବଜାରରେ ଏହାର ପ୍ରଥମ ଚାହିଦା ରହିଛି। ଚଳିତ ବର୍ଷ ଦେଓଗାଁ ବ୍ଳକରେ ୮୪୪ ହେକ୍ଟର ଜମିରେ କପା ଚାଷ ହୋଇଥିବା ବେଳେ ତୁହାକୁ ତୁହା ଝଡ଼, ବାତ୍ୟା ଖୁବ୍‌ କ୍ଷତି ଘଟାଇଥିଲା। ତେବେ ଚାଷୀଙ୍କ ପାଇଁ ବିପଣନର ଠିକ ବ୍ୟବସ୍ଥା ନାହିଁ। ଗତ ବର୍ଷ କପା ନିଗମ ୯୦ ପ୍ରତିଶତ କିଣିବା ପରେ ବାକି ୧୦ ପ୍ରତିଶତ କପା ବେସରକାରୀ ପ୍ରତିଷ୍ଠାନ ଖରିଦ୍‌ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ନିଗମ ମାତ୍ର ୪୦ ଭାଗ କପା କିଣିଥିବା ବେଳେ ବାକି ୬୦ ଭାଗ ମଧ୍ୟସ୍ଥିଙ୍କ ଜରିଆରେ ଆନ୍ଧ୍ରପ୍ରଦେଶକୁ ରପ୍ତାନୀ ହୋଇଯାଇଥିଲା। ଚଳିତ ବର୍ଷ କପାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୫୪୫୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବା ବେଳେ ୧୨ ରୁ ୧୭ ପ୍ରତିଶତ ଆଦ୍ରତା ରହିଥିବା ଦର୍ଶାଇ ଚାଷୀଙ୍କୁ କମ୍ ଦରରେ ବିକ୍ରି କରିବା‌କୁ ମଣ୍ଡିରେ ମୂଲ୍ୟ ନିରୁପଣ କରାଯାଉଥିବା ଚାଷୀମାନେ କହୁଛନ୍ତି। ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଖୋଦ ଗାଈବାହାଲର ଶିବ ବାରିକ, ଟିକେବାବୁ ବିଶ୍ବାଲ, କୃଷ୍ଣ ବିଶ୍ବାଲ, ମହେନ୍ଦ୍ର କାଲସାଏ, ଯୁଗଲାଲ କାଲସାଏ, ବାବୁଲାଲ କାଲସାଏ, ଉଦ୍ଧବ ପଧାନ, ସୁଦର୍ଶନ ପଧାନ, ଦେଶାନ୍ତର ଭୋଇ ଓ ଜୁର୍ଲାକାନି ଗାଁର ବୃନ୍ଦାବନ ପୋଢ଼, ଦଶ ପୋଢ଼, ଗୌର‌ ପୋଢ଼, ସତ୍ୟ ମଲ୍ଲିକ, ଶ୍ରୀରାମ ମଲ୍ଲିକ, ସତ୍ୟ ରଣା, ପ୍ରମୋଦ ପୋଢ଼, ଆରତ ପଧାନ, ସୁଶାନ୍ତ ନାଗ, ଜୟପାଲ ରଣା, ଶରତ ଭୋଇ ରାମ ଭୋଇ, ବିଭୀଷଣ ପୋଢ଼, ନାରାୟଣ ପୋଢ଼, ଚନା ଭୋଇ ପରି ଅନେକ ଚାଷୀ କପା ମଣ୍ଡିରେ କପା ବିକ୍ରୟ କରି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। କପାକୁ ବିଭିନ୍ନ ସମୟରେ ନିମ୍ନମାନର ଓ ଆଦ୍ରତା ଅଛି କହି କ୍ବିଣ୍ଟାଲ ପ୍ରତି ୫୪୫୦ ଟଙ୍କା ଧାର୍ଯ୍ୟ କରାଯାଇ ଥିବା କପାକୁ ୫ ହଜାରରୁ ୫୧ ଶହ ଭିତରେ ଜୋର ଜବରଦସ୍ତ ଟଙ୍କା ଦେଉଥିବା ମଧ୍ୟ ଚାଷୀମାନେ କହିଛନ୍ତି। ଦେଓଗାଁ ବ୍ଲକରେ ସାଢ଼େ ୮ଶହ ହେକ୍ଟରୁ ଅଧିକ କପା ଚାଷ ହେଉଥିବା ବେଳେ ଦେଓଗାଁ ବ୍ଳକ ଅଞ୍ଚଳର କପା ମଣ୍ଡି ଖୋଳିବାକୁ ଦାବି ହେଉଥିଲେ ମଧ୍ୟ କପା ନିଗମ ଏହି ଦାବି ପ୍ରତି ଅଣଦେଖା କରିଚାଲିଛି। ଯାହା ଫଳରେ କପା କାରଖାନା ଭିତରେ ଲୋକ ଦେଖାଣିଆ ମଣ୍ଡି ଖୋଲି ଚାଷୀକୁ ଅନେକ ପ୍ରକାର ମାନସିକ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର