ବିଲରୁ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ

ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖନାକୁ ସ୍ଥାନାନ୍ତରିତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପଦ ଗ୍ରାମରେ ଜମିରୁ ଲଟା ବାଛି ଫେରୁଥିବା ବେଳେ ଜଣେ ଯୁବତୀକୁ ଜୈନିକ ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ଏଥିରେ ଯବତୀ ଜଣକ ଗୁରୁତର ହୋଇ ପଡିଥିବା ବେଳେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମର ବୃନ୍ଦାବନ ବରିହା ନାମକ ଜୈନିକ ଯୁବକ ପାଟଣାଗଡ଼ ବ୍ଲକ ତେଣ୍ଡାପଦ ଗ୍ରାମର ନିଜ ସମ୍ପର୍କିୟଙ୍କ ଘରେ ଆସି ରହୁଥିଲା । ଉକ୍ତ ଘର ସମ୍ମୁଖରେ ଗ୍ରାମର ନିତ୍ୟା ମହାଲିଙ୍ଗଙ୍କ ଘର ରହିଛି । ନିତ୍ୟାଙ୍କ ଝିଅ ଲକ୍ଷ୍ମୀ ମହାଲିଙ୍ଗକୁ ବୃନ୍ଦାବନ ଏକତରଫା ଭଲ ପାଉଥିଲା। ତେବେ ଶୁଣିବାକୁ ମିଳୁଛି ଯେ ଲକ୍ଷ୍ମୀର ଇତି ମଧ୍ୟରେ ବିବାହ ଠିକ ହୋଇ ସାରିଥିବା ବୃନ୍ଦାବନ ଜାଣିବାକୁ ପାଇଥିଲା । ତେଣୁ ବୃନ୍ଦାବନ ଲକ୍ଷ୍ମୀକୁ ଆକ୍ରମଣ କରିଥିବା ନେଇ ମଧ୍ୟ ଆଲୋଚନା ହେଉଥିବା ଜଣାପଡିଛି ।

ଲକ୍ଷ୍ମୀ ଓ ଗ୍ରାମର ୫ /୭ ଜଣ ମହିଳା ନିକଟସ୍ଥ ଜମିକୁ ଶନିବାର ଲଟା(ଘାସ) ବାଛିବା ପାଇଁ ଯାଇଥିଲେ । ପୂର୍ବରୁ ଯୋଜନା ମୁତାବକ ଲଟା ବାଛି ଘରକୁ ଫେରୁଥିବା ସମୟରେ ବୃନ୍ଦାବନ ଲକ୍ଷ୍ମୀ ଉପରକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାରମ୍ବାର ଆକ୍ରମଣ କରିଥିଲା । ଅସ୍ତ୍ରରେ ଆକ୍ରମଣ କରୁଥିବା ଦେଖି ଲକ୍ଷ୍ମୀ ସହିତ ଆସୁଥିବା ସମସ୍ତ ମହିଳା ଦୌଡି ଘରକୁ ପଳାଇ ଯାଇଥିଲେ । ଆକ୍ରମଣ ଦ୍ୱାରା ଲକ୍ଷ୍ମୀର ଡାହାଣ ହାତରେ ଭଗୀର ଆଘାତ ହୋଇଥିବା, ବେଳେ ବାମ ହାତ, ଛାତି, ପିଠି ଆଦି ଶରୀରର ୮ ରୁ ୧୦ ସ୍ଥାନରେ ଗଭୀର ଆଘାତ ହୋଇଥିଲା । ଘଟଣା ସ୍ଥଳରୁ ବୃନ୍ଦାବନ ଫେରାର ହୋଇଥିବା ବେଳେ ଲକ୍ଷ୍ମୀକୁ ଗ୍ରମାବସୀ ଓ ପରିବାରବର୍ଗ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଥିବା ବେଳେ ଗୁରୁତର ଥିବା ଦର୍ଶାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ପାଟଣାଗଡ଼ ଥାନା ଅଧିକାରୀ ବାରିଣୀ ଦାଶଙ୍କୁ ପଚରାଯିବାରୁ ପୁଲିସ ପାଖରେ କୌଣସି ସୂଚନା ନ ଥିବା କହିଥିଲେ ।

ସମ୍ବନ୍ଧିତ ଖବର