ଏକତରଫା ପ୍ରେମରୁ ହତ୍ୟାକାଣ୍ଡ : ଝିଅର ଭାଇକୁ ହତ୍ୟା, ଦୁଇ ଗିରଫ

ବଲାଙ୍ଗୀର : ପୁଇଁତଲା ଥାନା ଅନ୍ତର୍ଗତ ବେଲବାହାଲି ଗାଁ ନିକଟରେ ଗୋବର୍ଦ୍ଧନ ବିଶି(୨୫) ନାମକ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ଠେଙ୍ଗାରେ ପିଟି ଓ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ନାନୁ ସନ୍ନ୍ୟାସୀ ଓ ଅଗ୍ନୁ ସନ୍ନ୍ୟାସୀଙ୍କୁ ଗିରଫ କରିଛି।

ବରପାଲି ଥାନା ଅନ୍ତର୍ଗତ କୁଟ୍ରାପାଲି ଗାଁର ଗୋବର୍ଦ୍ଧନ ଶ୍ବଶୁର ଘର ପୁଇଁତଲା ଥାନା ଅଙ୍କରିଆପଦର ଆସିଥିଲେ। ବେଲବାହାଲି ଗାଁର ନାନୁ ଓ ଅଗ୍ନୁ ଗୋବର୍ଦ୍ଧନଙ୍କୁ ଘରୁ ଡାକି ନେଇଥିଲେ। ବେଲବାହାଲି ନିକଟରେ ଗୋବର୍ଦ୍ଧନଙ୍କ ଭଉଣୀଙ୍କ ବାହାଘର ଘଟଣାକୁ ନେଇ ନାନୁ ସହିତ ପାଟିତୁଣ୍ଡ ହୋଇଥିଲା। ଏହା ପରେ ନାନୁ ଓ ଅଗ୍ନୁ ମିଶି ଗୋବର୍ଦ୍ଧନଙ୍କୁ ଠେଙ୍ଗା ଓ ପଥରରେ ଛେଚି ଗୁରୁତର ଅବସ୍ଥାରେ ଛାଡ଼ି ଫେରାର ହୋଇ ଯାଇଥିଲେ। ଶନିବାର ରାତିରେ ସ୍ଥାନୀୟ ଲୋକେ ଗୋବର୍ଦ୍ଧନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। ରବିବାର ହସପିଟାଲରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା। ପୁଇଁତଲା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାନୁ ମୃତ ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲା। ବାହା ହେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲା। କିନ୍ତୁ ଗୋବର୍ଦ୍ଧନ ମନା କରି ଦେଇଥିଲେ। ତେଣୁ ନାନୁ ଗୋବର୍ଦ୍ଧନଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର