ଯୁବତୀ ଚାଲାଣ ଓ ଦୁଷ୍କର୍ମ ଅଭିଯୋଗ, ବାବାଙ୍କୁ ଜେଲ୍‌

ଟିଟିଲାଗଡ଼,: ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନାରେ ୨୦୧୬ ମସିହାରେ ଦାୟର ହୋଇଥିବା ଏକ ଯୁବତୀ ଚାଲାଣ ତଥା ଦୁଷ୍କର୍ମ ମାମଲାର ବିଚାର କରି ବୁଧବାର ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଅଦାଲତ ମୁଖ୍ୟ ଅଭିଯୁକ୍ତ ବାବା ମଧୁସୂଦନ ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରକାଶ ଯେ, ସଇଁନ୍ତଲା ଥାନା ଅଞ୍ଚଳର ଏକ ଗାଁରେ ମଧୁସୂଦନ ଦାସ ନିଜକୁ ତାରିଣୀ ବାବା ବୋଲି କହିବା ସହ ତାଙ୍କ ନିକଟରେ ଅଲୌକିକ ଶକ୍ତି ଥିବା ପ୍ରଚାର କରି ଆସୁଥିଲେ। ଏହା ସହ ସେ ନିକଟସ୍ଥ ଗାଁଗୁଡ଼ିକରେ ପୂଜା ପାଠ ମଧ୍ୟ କରି ଆସୁଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ଦୁଇ ନାବାଳିକା ଝିଅଙ୍କ ଉପରେ ତାଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା। ବିଭିନ୍ନ ପ୍ରଲୋଭନ ଦେଖାଇ ସେ ଦୁଇ ଭଉଣୀଙ୍କୁ ଅପହରଣ କରି ନେବା ସହ ରାୟପୁରରେ ଏକ ଲଜରେ ରଖିଥିଲେ। ପରେ ତାଙ୍କୁ ରାଜସ୍ଥାନର ଜୟପୁର ସହରକୁ ନେଇ ଯାଇଥିଲେ। ଏ ମଧ୍ୟରେ ସେ ବାରମ୍ୱାର ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ। ଏହି ଘଟଣା ୨୦୧୬ ମସିହା ସେପଟେମ୍ୱର ୨୬ ତାରିଖ ଦିନ ଘଟିଥିବା ବେଳେ ଦୁଇ ନାବାଳିକାଙ୍କୁ ନ ପାଇ ତାଙ୍କ ପରିବାର ଲୋକ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପୁଲିସ ସଇଁନ୍ତଲା ଥାନା କେସ୍ ନଂ ୨୧୪/୧୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗ୍ୱାଲିୟରରେ ବିକ୍ରି ହୋଇଥିବା ନାବାଳିକା ଜଣକ କୌଶଳକ୍ରମେ ଖସି ଆସି ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ସଇଁନ୍ତଲା ପୁଲିସ ଗ୍ୱାଲିୟର ଯାଇ ସେଠାରୁ ତାହାକୁ ଉଦ୍ଧାର କରିଥିଲା। ତା’ ଠାରୁ ଏହି ନକଲି ବାବା ମଧୁସୂଦନ ଦାସ ବିଷୟରେ ଜାଣିବା ପରେ ତାଙ୍କୁ ଗିରଫ କରିଥିଲା। ଅନ୍ୟ ଜଣେ ନାବାଳିକାର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଟିଟିଲାଗଡ଼ ଏଡିଜେ ରାଜେଶ ନାୟାର ବୁଧବାର ଏହି ମାମଲାର ବିଚାର କରି ଅଭିଯୁକ୍ତ ମଧୁସୂଦନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର