ଦୁର୍ଗାଷ୍ଟମୀରେ ବାଲେଶ୍ୱରର ନିଆରା ପରମ୍ପରା: ଅଦ୍ଭୁତ ଆତ୍ମରକ୍ଷା କୌଶଳ ଦେଖାଇଲେ ୧୮ ଆଖଡ଼ାଦଳ

ବାଲେଶ୍ୱର: ମା’ ଦୁର୍ଗାଙ୍କର ଆଜି (ରବିବାର) ପବିତ୍ର ଅଷ୍ଟମୀ ତିଥିରେ ବାଲେଶ୍ୱର ସହରର ମାକଲପୁର ସ୍ଥିତ ମହାବୀର ମନ୍ଦିରରେ ପାରମ୍ପରିକ ଆଖଡ଼ା ଖେଳ ପ୍ରଦର୍ଶିତ ହେବା ସହ ୧୮ଟି ଆଖଡ଼ାଦଳର ସର୍ଦ୍ଦାରମାନେ ପ୍ରଭୁ ବଜରଙ୍ଗବଲୀଙ୍କଠାରେ ପ୍ରଣାମୀ ଗ୍ରହଣ କରିଛନ୍ତି। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନିୟମ ଅନୁସାରେ ସହର ସମେତ ସହର ଉପକଣ୍ଠ ବିଭିନ୍ନ ଅଞ୍ଚଳରୁ ଆଖଡ଼ା ଦଳମାନେ ଶୋଭାଯାତ୍ରାରେ ଆସି ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ। ଏହାପରେ ମହାବୀରଙ୍କୁ ପୂଜାର୍ଚ୍ଚନା କରି ବାଡ଼ି, ବାନା, ବନାଟି, ଫରି, କୁସ୍ତି, ତଲୱାର ଓ ଢାଲ ଆଦି ଦ୍ଵାରା ବିଭିନ୍ନ ଆଖଡ଼ାଦଳଗୁଡ଼ିକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।

ପାରମ୍ପରିକ ଯୁଦ୍ଧ ଓ ଆତ୍ମରକ୍ଷା କୌଶଳଗୁଡ଼ିକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା। ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଏସ୍ପି ତପନ କୁମାର ପଟ୍ଟନାୟକ, କ୍ରାଇମ ଡିଏସ୍ପି ଉମେଶ ପଣ୍ଡା, ରେମୁଣା ବ୍ଲକ ସହକାରୀ ତହସିଲଦାର ଅନିନ୍ଦିତା ଆଚାର୍ଯ୍ୟ, ମହାବୀର ଆଖଡ଼ା ସଂଘର ସଭାପତି ଗୋପୀନାଥ ଶତପଥୀ, ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ଉପସଭାପତି ଅରୁଣ ଚାଟାର୍ଜୀ, ପଦ୍ମଲୋଚନ ଲେଙ୍କା, ମନୋଜ ରାଉତ କମଳାକାନ୍ତ ନାୟକ, ହେମନ୍ତ କୁମାର ମାସନ୍ତ ଓ ରବୀନ୍ଦ୍ର ବେହେରା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଣାମୀ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଥାନାର ଆଇଆଇସିଙ୍କ ସମେତ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ପ୍ରଣାମୀ ଗ୍ରହଣ ପରେ ଆଖଡ଼ା ଦଳଗୁଡ଼ିକ ଫେରିଯାଇଥିଲେ। ଦଶହରା ସନ୍ଧ୍ୟାରେ ପ୍ରଣାମୀ ଗ୍ରହଣ କରିଥିବା ସମସ୍ତ ଆଖଡ଼ା ଦଳ ସ୍ଥାନୀୟ ସିନେମାଛକ ଠାରେ ସେମାନଙ୍କର ଖେଳ ପ୍ରଦର୍ଶନ କରିବେ। ଆଗାମୀ କୁମାର ପୂର୍ଣ୍ଣିମାରେ ପୁଣିଥରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆଖଡ଼ା ଦଳମାନଙ୍କ ମଧରେ ପ୍ରତିଯୋଗିତା ଆୟୋଜିତ ହୋଇ ଶ୍ରେଷ୍ଠଦଳ ଓ ଖେଳାଳିଙ୍କୁୁ ପୁରସ୍କୃତ କରାଯିବ।

ଅନ୍ୟପକ୍ଷରେ ଆଜିର ପ୍ରଣାମୀ ଉତ୍ସବରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆଖଡ଼ାଦଳର ସର୍ଦ୍ଦାରମାନଙ୍କ ମଥାରେ ସିରିପା ବାନ୍ଧି ସମ୍ମାନିତ କରାଯାଇଥିଲା। ସେହିପରି ଶିବସେନାର ବାଲେଶ୍ୱର ଶାଖା ପକ୍ଷରୁ ଏହାର ସଭାପତି ପଦ୍ମଲୋଚନ ପତି ଓ ସହଯୋଗୀବୃନ୍ଦ ଆଖଡ଼ାଦଳର ସଦସ୍ୟମାନଙ୍କୁ ଓ ଜନସାଧାରଣଙ୍କୁ ଖାଦ୍ୟ ଓ ପାନୀୟଜଳ ବାଣ୍ଟିଥିଲେ। କଂଗ୍ରେସ ବରିଷ୍ଠ ଯୁବନେତା ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀମାନଙ୍କ ସହ ଆସି ମହାବୀର ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହ ବାଲେଶ୍ୱରରେ ଦୀର୍ଘବର୍ଷ ଧରି ରହିଆସିଥିବା ଏହି ଅନନ୍ୟ ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ପ୍ରତ୍ୟେକ ବ୍ୟକ୍ତି ଆତ୍ମରକ୍ଷା ପାଇଁ ଏହି କେଶଳ ଶିଖିବା ନିହାତି ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ନିଜେ ତଲୱାର ବୁଲାଇ ଆଖଡ଼ା ପ୍ରଦର୍ଶନକାରୀଙ୍କୁ ଉତ୍ସାହିତ କରିଥିବା ଦେଖାଯାଇଥିଲା।

ସଂଘର ସଭାପତି ଗୋପିନାଥ ମହାନ୍ତି କୁହନ୍ତି ଯେ, ସଂପ୍ରତି ଯୁବଗୋଷ୍ଠୀଙ୍କ ମଧରେ ଆଖଡ଼ା ଖେଳ ପ୍ରତି କ୍ରମଶ ଆଗ୍ରହ ହ୍ରାସ ପାଇଥିବା ବେଳେ ପ୍ରୋତ୍ସାହନ ଯୋଗାଇ ଦେବାରେ ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ସ୍ତରରେ କେଣସି ପଦକ୍ଷେପ ନିଆଯାଉନାହିଁ। ଆଖଡ଼ା ଖେଳକୁ ଉତ୍କଳୀୟ ପରମ୍ପରା ଭାବେ ରାଜ୍ୟ ସଂସ୍କୃତି ବିଭାଗ କିମ୍ବା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର