ରାଜ୍ୟ ସରକାରଙ୍କ ୩ ସଚିବଙ୍କ ବାଲେଶ୍ବର ଗସ୍ତ ଆଜି

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କରିବେ ସମୀକ୍ଷା

ବାଲେଶ୍ବର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଆସୁଛନ୍ତି। ସଚିବମାନେ ସକାଳ ସାଢ଼େ ୭ଟା ସମୟରେ ହେଲିକପ୍ଟର ଯୋଗେ ଆସି ଜିଲ୍ଲା ସଦରମହକୁମା ବାଲେଶ୍ବର ସହରର ପୁଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇବେ। ଏଠାରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଚିବମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ବାଲେଶ୍ବର ସହର ଏବଂ ଏହାର ଆଖପାଖରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ସେସବୁର ସମୀକ୍ଷା କରିବେ।

୨ଘଣ୍ଟା ୧୫ ମିନିଟ୍‌ର ଏହି ଗସ୍ତ ମଧ୍ୟରେ ୩ ସଚିବ ଏବଂ ଅଧିକାରୀମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଇ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଥମେ ଅନୁଧ୍ୟାନ କରିବେ। ପ‌େର ପରେ ବାଲେଶ୍ବର ଜିଲ୍ଲା ସ୍କୁଲ, ରେଲୱେ ଓଭରବ୍ରିଜ କାମ, ସହର ଉପକଣ୍ଠ ଦହପଡ଼ାଠାରେ ବୁଢ଼ାବଳଙ୍ଗ ନଦୀରେ ଚାଲିଥିବା ବ୍ରିଜ ନିର୍ମାଣ ଏବଂ ରେମୁଣା ଠାରେ ମେଡିକାଲ କଲେଜର ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୯ଟା ୪୫ରେ ପୁଣି ଭୁବନେଶ୍ବର ଫେରିଯିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର