ନଦୀରୁ ମୃତଦେହ ମିଳିବା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ମାଆ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରୂପସା ଥାନାର ରାଉତପଡା ଗ୍ରାମର ଜଣେ ମହିଳା ଗତ ସାବିତ୍ରୀ ବ୍ରତ ଦିନ ଠାରୁ ୨ଦିନ ନିଖୋଜ ରହିଥିଲେ। ଏହାପରେ ସ୍ଥାନୀୟ ବାଉଁଶ ନଦୀ ପୋଲ ତଳୁ ଭାସମାନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ଉକ୍ତ ମହିଳାଙ୍କୁ ହତ୍ୟା କରାଇଥିବା ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ମେ ୨୨ ତାରିଖ ରାତିରେ ଏହି ଗ୍ରାମର ମନୋରଞ୍ଜନ ଜେନାଙ୍କ ସ୍ତ୍ରୀ ସୁଜାତା(୪୦) ନିଖୋଜ ହୋଇଯାଇଥିଲେ। ମଇ ୨୪ ତାରିଖରେ ସୁଜାତାଙ୍କ ମୃତଦେହ ତାଙ୍କ ଘର ନିକଟସ୍ଥ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିଥିଲା।

ମାତ୍ର ସୁଜାତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ସୁଜାତାର ମାଆ ବସ୍ତା ଥାନା ଅନ୍ତର୍ଗତ ବାଉଁଶମୁଖା ଗ୍ରାମର କୁଷୀ ମହାନ୍ତି ଥାନାରେ ମଇ ୨୮ ତାରିରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ,ତାଙ୍କ ଜ୍ୱାଇଁ ମନୋରଞ୍ଜନ ଜନୈକ ବିଧବା ମହିଳାକୁ ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବାର ଯୋଜନା କରି ତାଙ୍କ ଝିଅ ସୁଜାତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଉକ୍ତ ଘଟଣା ସବୁ ସୁଜାତା ତାଙ୍କ ବାପା ଘର ଲୋକଙ୍କୁ ବାରମ୍ବାର ଜଣାଇ ଆସୁଥିଲେ। ସୁଜାତାକୁ ହତ୍ୟା କରି ତାକୁ ଆତ୍ମହତ୍ୟା ରୂପ ଦିଆଯାଉଛି। ରୂପସା ଥାନାରେ ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଏଫଆଇଆର ପାଇ ଚୁପ ହୋଇ ରହିବା ଘଟଣା ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇଦେଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଏସପି,ଜିଲ୍ଲାପାଳ,ଏଡିପିଓ,ଓଡ଼ିଶା ଡିଜିପି,ମୁଖ୍ୟମନ୍ତ୍ରୀ ଓ ମହିଳା କମିଶନରଙ୍କୁ ଜଣାଇଛନ୍ତି କୁଷୀ ମହାନ୍ତି।

ସମ୍ବନ୍ଧିତ ଖବର