ବାଲେଶ୍ୱର: ମଣିଷ ଚିକିତ୍ସା ହେଉଥିବା ଡାକ୍ତରଖାନାରେ ରୋଗୀ ସାଜିଛି ଏକ ସାପ। ଏପରିକି ଡାକ୍ତରଖାନାର ରୋଗୀ ପଞ୍ଜିକରଣ ଖାତାରେ ସାପର ନାମ ପଂଜିକୃତ ହୋଇଥିବା ବେଳେ ଡାକ୍ତରଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରାଯାଇଛି। ଏପରି ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ ରବିବାର ଭୋର୍ ସମୟରେ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଥିଲା।
ବାଲେଶ୍ୱର ସହର ଗୋପାଳଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗସାପ ଜାଲରେ ଛନ୍ଦି ହେବା ସହ ସେ ଆହତ ହୋଇଥିବା ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ମନୋଜ କୁମାର ଦାସ ସୂଚନା ପାଇଥିଲେ। ଏହାପରେ ସେ ସେଠାରେ ପହଞ୍ଚି ଆହତ ନାଗସାପକୁ ଉଦ୍ଧାର କରି ତାର ଚିକିତ୍ସା ପାଇଁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚିଥିଲେ । ହଠାତ ସାପକୁ ଦେଖି ଉଭୟ ଡାକ୍ତର ଓ ଆଟେଣ୍ଡାଣ୍ଟ୍ମାନେ ଛାନିଆ ହୋଇ ଯାଇଥିଲେ।
/sambad/media/post_attachments/wp-content/uploads/2019/08/WhatsApp-Image-2019-08-12-at-4.34.46-PM.jpeg)
ତେବେ ମନୋଜ ରୋଗୀ ପଞ୍ଜିକରଣ କେନ୍ଦ୍ରରେ ସାପର ନାମ ପଞ୍ଜିକରଣ କରାଇ ଡାକ୍ତରଙ୍କୁ ଆଣି ଦେଖାଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପାଇଁ ଏକ ମଲମ ଦେଇ ତାକୁ ପଶୁ ଚିକିତ୍ସାଳୟରେ ନେଇ ଦେଖାଇବାକୁ ପରାମର୍ଶ ଦେଇଥିଲେ। ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ଚିକିତ୍ସାଳୟକୁ ସାପ ରୋଗୀ ହୋଇ ଆସିଥିବା ଖବର ଶୁଣି କିଛି ସମୟ ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା।
ତେବେ ମନୋଜଙ୍କୁ ଏ ବାବଦରେ ପଚାରିବାରୁ ସେ କହିଥିଲେ, ରାତ୍ରି କାଳରେ ଅଧିକାଂଶ ସମୟରେ ଗୋରୁଗାଈ, କୁକୁର, ବିଲେଇ, ସରୀସୃପ ଓ ପକ୍ଷୀମାନେ ଆହତ ଓ ଅସୁସ୍ଥ ହେଉଛନ୍ତି। ମାତ୍ର ସେମାନଙ୍କ ପାଇଁ ପଶୁ ଚିକିତ୍ସାଳୟରେ କୌଣସି ଜରୁରିକାଳୀନ ଚିକିତ୍ସା ସେବା ଉପଲବ୍ଧ ନାହିଁ। ଫଳରେ ସେମାନେ ଚିକିତ୍ସା ଅଭାବରୁ ଅଧିକ ଅସୁସ୍ଥ ହେଉଛନ୍ତି କିମ୍ବା ମୃତ୍ୟୁବରଣ କରୁଛନ୍ତି।
ତେଣୁ ଏହି ସେବା ନିହାତି ପ୍ରତ୍ୟେକ ପଶୁ ଚିକିତ୍ସାଳୟରେ ଉପଲବ୍ଧ ହେବା ଆବଶ୍ୟକ। ପଶୁପକ୍ଷୀଙ୍କ ପ୍ରତି ମନୋଜଙ୍କ ଏହି ସେବା ମନୋଭାବ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
/sambad/media/post_attachments/wp-content/uploads/2019/08/WhatsApp-Image-2019-08-12-at-4.34.28-PM.jpeg)
ସୂଚନା ଥାଉକି, ମନୋଜ କୁମାର ଦାସ ଜଣେ ସାମାଜିକ କର୍ମୀ ତଥା ସାପଧରାଳି ଭାବେ ପରିଚିତ। ତାଙ୍କ ଘର ବାଲେଶ୍ୱର ସହରର ମାଣିଖମ୍ବ ଅଞ୍ଚଳରେ। ଜନବସତି ଅଞ୍ଚଳରୁ ସାପ ଧରି ଜଙ୍ଗଲରେ ଛାଡ଼ିବା ସହ ଆହତ ସାପଙ୍କୁ ଧରି ତାଙ୍କର ସେ ଚିକିତ୍ସା କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/WhatsApp-Image-2019-08-12-at-4.35.01-PM.jpeg)