ବାଲେଶ୍ବର ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ଉତ୍ସବ

ବସ୍ତା: ଲେଖକର ଲେଖନୀ ମୁନରେ ଫୁଟି ଉଠୁଥିବା ଲେଖା ସମାଜର ହିତ ସାଧନରେ ଲାଗି ପାରିଲେ ସେହି ଲେଖା ଆଦୃତ ହୁଏ। ଯେଉଁ ଲେଖା ସମାଜରେ ସଂସ୍କାର ଆଣେ, ତାହା କାଳଜୟୀ ହୋଇଥାଏ ବୋଲି ବାଲେଶ୍ବର ଜିଲ୍ଲା ସିଂଲା ‘ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଛନ୍ତି। ସିଂଲା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଭାଗବତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଲେଖକ ସାମ୍ମୁଖ୍ୟର ଉପସଭାନେତ୍ରୀ ସୁଧାମଣୀ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ଭାଗବତ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ବସ୍ତା ପ୍ରତିନିଧି ବ୍ରଜମୋହନ ମିଶ୍ର ଓ ଯୋଗାଚାର୍ଯ୍ୟ ବଂଶୀଧର ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ‘ସମ୍ବାଦ’ରେ ପ୍ରକାଶିତ ‘ଇନ୍ଦ୍ରଧନୁ’ ପୃଷ୍ଠାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ବେତନଟୀ ପ୍ରତିଭା ପୂଜନ ଅନୁଷ୍ଠାନର ସଭାପତି ସଚ୍ଚିଦାନନ୍ଦ ମହାନ୍ତି ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ପାଦକ ଅଧ୍ୟାପକ ନିରଞ୍ଜନ ବେହେରା ସମ୍ପାଦକୀୟ ବିବରଣୀ ପାଠ, ରାମଦେଇ କଇ ଓଡ଼ିଶୀ ନୃତ୍ୟ ପରିବେଷଣ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ ଏବଂ ସୁଧାଂଶୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ କବି ବିଜୟ କୁମାର ନନ୍ଦ, ବାସୁଦେବ ନାପିତ ଓ ନଳିନୀକାନ୍ତ ପାଢ଼ୀଙ୍କ ମିଳିତ ସଂଯୋଜନାରେ କବିତା ପାଠ ପର୍ବ ହୋଇଥିଲା। ଏଥିରେ ୪୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। କବିତା ପାଠ କରିଥିବା କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ସୃଷ୍ଟିଧର ପାତ୍ର, ରାମଚନ୍ଦ୍ର ରାଉତ, ପ୍ରଶାନ୍ତ ଦାସ, ରମେଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ମିଶ୍ର, ନିତ୍ୟାନନ୍ଦ ପ୍ରଧାନ, କମଳାକାନ୍ତ ଜେନା ପ୍ରମୁଖଙ୍କ ଦ୍ବାରା ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର