ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଧୀନ ସନ୍ତରଗଡ଼ିଆ ଅଞ୍ଚଳରେ ପ୍ରାୟ ୨୨ରୁ ଉର୍ଦ୍ଧ୍ବ ବେଆଇନ ଇଟାଭାଟି ଦୀର୍ଘ ଦିନ ଧରି ଚଳାଉଛନ୍ତି। ଏଥିଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ରୋକିବା ବାରେ ବିଫଳ ହୋଇଛନ୍ତି। ପ୍ରତି ବର୍ଷ ଆଖି ଦେଖାଣିଆ କିଛି ଫାଇନ କରି ଚୁପ ବସନ୍ତି। ଚଳିତ ବର୍ଷ ନୀଳଗିରି ତହସିଲଦାର ରଞ୍ଜନ କୁମାର ବେହେରା ପ୍ରତ୍ୟେକ ଭାଟି ଉପରେ ରୟାଲଟି, ପେନାଲଟି ନେଇ ଫାଇନ କରିଥିଲେ। ଏଥିରେ ଇଟାଭାଟି ମାଲିକମାନେ ରାୟାଲଟି, ପେନାଲଟିକୁ ନେଇ ହୋଇ ଥିବା ଜରିମାନା ଅର୍ଥ ପୈଠ କରିଥିଲା ବେଳେ ଶ୍ୟାମ ସୁନ୍ଦରପୁର ପଂଚାୟତ ଅସ୍ତିଆ ଗ୍ରାମରେ ଥିବା ଡିଏସବି ଇଟାଭାଟି ମାଲିକ ବପୁନୁ ସିଂ ଓ କାଣ୍ଡଗରଢ଼ି ପଂଚାୟତ ଥିବା ମାମା ଇଟାଭାଟି ମାଲିକ ଚନ୍ଦନ ଜେନା ଫାଇନ ଦେଇ ନଥିଲେ। ପରନ୍ତୁ ନୀଳଗିରି ତହସିଲଦାରଙ୍କ କରିଥିବା ନୋଟିସ ଉପରେ ବେଆଇନମାମା ଇଟାଭାଟିରେ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ଇଟାଭାଟିକୁ ଭାଙ୍ଗିଲା ପରେ ତାଙ୍କ ଭାଟି ଭାଗନ୍ତୁ ବୋଲି ମାମା ଇଟା ଭାଟି ମାଲିକ ଚନ୍ଦନ ଜେନା ଦାବି କରିଥିଲେ।

Advertisment

ମାତ୍ର ପ୍ରଶାସନ ନିଷ୍ପତ୍ତି ଅନୁସାରେ ନୀଳଗିରି ତହସିଲଦାରଙ୍କ ନେତୃତ୍ୱରେ, ସନ୍ତଗଡ଼ିଆ ଆରଆଇ, ତହସିଲ କର୍ମଚାରୀ, ନୀଳଗିରି ଡିଏସପିଙ୍କ ନେତୃତ୍ୱରେ ୨ ପ୍ଲାଟୁନ ଫୋର୍ସ ସକାଳ ୭ଟାରେ ଇଟାଭାଟିରେ ପହଞ୍ଚି ପ୍ରଥମେ ଡିଏସବି ଇଟାଭାଟି ଭଙ୍ଗାଯିବା ପରେ ମାମା ଭାଟିକୁ ମାଟିରେ ମିଶାଇଛନ୍ତି। ଘଟଣାସ୍ଥଳରେ ମାଲିକ ଯେତେ ନେହୁରା ହୋଇଥିଲେ ସୁଦ୍ଧା ପ୍ରଶାସନ କିଛି ଶୁଣି ନଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।