ନୀଳଗିରିରେ ନଗଡ଼ାର ଚିତ୍ର ପ୍ରସଙ୍ଗ:ସ୍ଥିତି ପରଖିଲେ ପ୍ରଶାସନିକ ଅଧିକାରୀ

ଗାମୁଛା ପିନ୍ଧି କେନାଲ ପାରିହେଲେ ବିଡିଓ:ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ କେସିପୁର ପଞ୍ଚାୟତ ଅଧୀନ ୧୦ନମ୍ବର ଓ୍ଵାର୍ଡ କେଳାମରା ଗାଁରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‌ ଭଳି ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଆଜି ‘ସମ୍ବାଦ’ରେ ‘ନୀଳଗିରିର ନଗଡ଼ାର ଚିତ୍ର; ଅପପୁଷ୍ଟି କବଳରେ ନିରୀହ ଶିଶୁ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ବାଲେଶ୍ୱର ଜିଲ୍ଲାପାଳ ରମେଶ ରାଉତଙ୍କ ନିର୍ଦ୍ଦେଶ କ୍ରମେ ନୀଳଗିରି ବିଡିଓ ରାମଦାସ ଟୁଡୁ, ସିଡିପିଓ କାଞ୍ଚନ ରାମ, ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ମଢ଼େଇ, ସମିତିସଭ୍ୟା ଯଶୋଦା ନାୟକ, ଓ୍ଵାର୍ଡମେମ୍ବର ସୁନାରାମ ସିଂ ଓ ଗ୍ରାମବାସୀ ପ୍ରମୁଖ ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବାରୁ ଗାଡ଼ି ରଖି ଦୀର୍ଘ ୮କିମି ଧରି ଚାଲି ଚାଲି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚଥିଲେ।

ରିସିଆ ଡେମ୍‌ କେନାଲର ଅପରପାର୍ଶ୍ୱର ଥିବା ଉକ୍ତ ଗ୍ରାମର ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଡିଓ ଶ୍ରୀ ଟୁଡୁ ସରପଞ୍ଚଠାରୁ ଗାମୁଛା ନେଇ ପିନ୍ଧିବା ସହ କେନାଲ ପାର ହୋଇ ଯାଇଥିଲେ। ସେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଥିବା ହୃଦ୍‌ବୋଧ କରିଥିଲେ। ଅପରାହ୍ନ ୪ଟାରେ ସେଠାରୁ ଫେରି ବିଡିଓ, ସିଡିପିଓ ଜଏଣ୍ଟ ଭେରିଫିକେସନ ରିପୋର୍ଟ ଜିଲ୍ଳାପାଳଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ବ୍ଲକ୍‌ ଆରଡବ୍ଲ୍ୟଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ହୃଦାନନ୍ଦ ବେହେରାଙ୍କୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶକ୍ରମେ ଇଂ. ଶ୍ରୀ ବେହେରା ଅପରାହ୍ନ ୫ଟାରେ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି ଓ ଗ୍ରାମବାସୀଙ୍କୁ ନେଇ ସଂପୃକ୍ତ ଗ୍ରାମରେ ଆଲୋଚନା କରିଥିଲେ। ଗ୍ରାମରେ ନଳକୂପ ବସାଇବା ପାଇଁ ଜାଗା ଚିହ୍ନଟ କରି ସନ୍ଧ୍ୟାରେ ଫେରିଥିବା କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀ ଗାଁକୁ ଗସ୍ତ କରିଥିବାରୁ ପୂର୍ବତନ ସରପଞ୍ଚ ରଘୁନାଥ ସିଂ, ପ୍ରିୟଦର୍ଶନୀ ସେବା ସଂସ୍ଥାର କୋଡିନେଟର ତପନ କୁମାର ରାଉତ, ମଧୁରା ମଢ଼େଇ, କେତୁ ମଢ଼େଇ, କାଳିଆ ବିଶ୍ୱାଳ, ବଗଲା ମୁର୍ମୁ, ଗୋରା ଟୁଡୁ, ବଣସୀମା ଅଞ୍ଚଳର ଯୁବନେତା ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ ପ୍ରମୁଖ ସମ୍ବାଦର ଏପରି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର