ବାଲେଶ୍ବରରେ ସହର ଗ୍ୟାସ୍‌ ବିତରଣ ପ୍ରକଳ୍ପର ଭିତ୍ତି ସ୍ଥାପନ : ତିନି ଜିଲ୍ଲାର ଦେଢ଼ ଲକ୍ଷ ଗ୍ରାହକଙ୍କୁ ମିଳିବ ଗ୍ୟାସ୍ ସଂଯୋଗ

ଦିଲ୍ଲୀରେ ରହି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ୩ଟି ଜିଲ୍ଲା ପାଇଁ ୫ଶହ କୋଟି ନିବେଶ କରିବ ଅାଦାନୀ

ନିର୍ମାଣ ହେବ ୨୦ଟି ସିଏନ୍‌ଜି ଷ୍ଟେସନ୍‌
ବାଲେଶ୍ବର,: ସ୍ଥାନୀୟ ନୋସି ପାର୍କଠାରେ ବାଲେଶ୍ବର ସହର ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିସ୍ଥାପନ ଉତ୍ସବ ଅନୁଷ୍ଠିତ ହେ‌ାଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବିଜ୍ଞାନ ଭବନରେ ଏଥିପାଇଁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉପସ୍ଥିତ ରହି ଦେଶର ୨୬ଟି ରାଜ୍ୟର ୬୫ଟି ସ୍ଥାନରେ ୧୨୯ଟି ଜିଲ୍ଲା ପାଇଁ ହେଉଥିବା ଏହି ମେଗା ପ୍ରକଳ୍ପକୁ ରିମୋର୍ଟ ଦବାଇ ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଫଳରେ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଦେଢ଼ ଲକ୍ଷ ଘରକୁ ପାଇପ୍ ଯୋଗେ ଗ୍ୟାସ ‌ସଂଯୋଗ ମିଳିବ ବୋଲି ଆଦାନୀ ଗ୍ୟାସ ଲିମିଟେଡ(ଏଜିଏଲ୍‌) ପକ୍ଷରୁ କୁହାଯାଇଛି।
ଭିତ୍ତିସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନା ଯୋଗ ଦେଇଥିବାବେଳେ ନୂଆପଡ଼ା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ଜେନା କହିଥିଲେ ଯେ, ୨୦୧୬ ଡିସେମ୍ବର ୨୬ ତାରିଖରେ ସଂସଦ ଅଧିବେଶନରେ ବାଲେଶ୍ବରକୁ ସହର ଗ୍ୟାସ ବିତରଣ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ଦାବି ଉପସ୍ଥାପନ କରିଥିଲେ। ତାଙ୍କ ଦାବିକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବରକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଆଜି ଏହାକୁ କାର୍ଯ୍ୟରେ ପରିଣତ କରାଇଥିବାରୁ ବାଲେଶ୍ବରବାସୀଙ୍କ ତରଫରୁ ଶ୍ରୀ ଜେନା କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଲେ ‌େଯ ଚିନ ଓ ଆମେରିକା ପରେ ଭାରତ ବିଶ୍ବର ତୃତୀୟ ରାଷ୍ଟ୍ର ଭାବେ ପ୍ରଦୂଷଣକୁ ରୋକିବା ପାଇଁ ପାଇପ୍‌ ଯୋଗେ ଦେଶର ବିଭିନ୍ନ ସହରକୁ ଗ୍ୟାସ୍‌ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଉଦ୍ୟମ ଭାରତର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବନ୍ଧ ହୋଇ ରହିବ। ଅନ୍ୟତମ ଅତିଥି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମଧ୍ୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏହି ପ୍ରକଳ୍ପ ପାଇଁ ଧନ୍ୟବାଦ ଦେଇଥିଲେ।
ପ୍ରକଳ୍ପ ଦାୟିତ୍ବ ନେଇଥିବା ଆଦାନୀ ଗ୍ୟାସ ଲିମିଟେଡ(ଏଜିଏଲ୍‌)ର ଉପସଭାପତି ରାମବଲଭ ସିଂ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା‌େର ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୮ ବର୍ଷ ମଧ୍ୟରେ ମୋଟ ୫ଶହ କୋଟି ଟଙ୍କାର ନିବେଶ କରାଯିବ। ଏହି ୩ଟି ଜିଲ୍ଲାରେ ମୋଟ ୨୦ଟି ସିଏନ୍‌ଜି ଷ୍ଟେସନ୍‌ ସ୍ଥାପନ କରାଯିବା ସହ ଦେଢ଼ ଲକ୍ଷ ଗ୍ରାହକଙ୍କୁ ଗ୍ୟାସ ସଂଯୋଗ ଦିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ନୀଳଗିରି ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ଏଜିଏଲ୍‌ ର ଏଆର ସିଂ, ଏମଆର ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କମ୍ପାନିର କର୍ମକର୍ତ୍ତା ସୋମେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର