ବାଲେଶ୍ୱର: ବର୍ଷ ବର୍ଷ ଧରି ବାଲେଶ୍ବର ଜିଲ୍ଲାରେ ରାଜସ୍ୱ ଗ୍ରାମ ମାନ୍ୟତା ଅପେକ୍ଷାରେ ଥିବା ଶତାଧିକ ଗ୍ରାମ ମଧ୍ୟରୁ ୧୦୫ଟି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ରାଜସ୍ୱ ଗ୍ରାମ ସଂଖ୍ୟା ୩୦୪୨ ଛୁଇଁଛି। ୧୦୫ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୩୩ଟି ରାଜସ୍ୱ ଗ୍ରାମ ଭୂ-ଲେଖରେ ଅପଡେଟ୍ ହୋଇସାରିଥିବା ବେଳେ ଆଉ ୭୨ଟି ଗ୍ରାମର ଅପଡେଟ୍‌ କାମ ଜାରି ରହିଛି। ଖୁବଶୀଘ୍ର ଏହି ରାଜସ୍ବ ଗ୍ରାମଗୁଡ଼ିକୁ ଭୂ-ଲେଖ ପୋର୍ଟାଲରେ ସ୍ଥାନିତ କରାଯିବ ବୋଲି ଜଣାଯାଇଛି।

Advertisment

ଜିଲ୍ଲାରୁ ୩୦୪୨ ରାଜସ୍ୱ ଗ୍ରାମ ମଧ୍ୟରୁ ବାଲିଆପାଳ ତହସିଲ ଅଧୀନରେ ୨୫୧ଟି, ବାଲେଶ୍ୱର ସଦର ତହସିଲରେ ୩୦୮ଟି, ଔପଦା ତହସିଲରେ ୮୨ଟି, ଜଳେଶ୍ୱର ତହସିଲରେ ୨୯୯ଟି, ରେମୁଣା ତହସିଲରେ ୩୩୦ଟି, ସୋର ତହସିଲରେ ୨୧୦ଟି, ସିମୁଳିଆ ତହସିଲରେ ୧୫୪ଟି, ବାହାନଗା ତହସିଲରେ ୧୭୩ଟି, ବସ୍ତା ତହସିଲରେ ୨୮୧ଟି, ଖଇରା ତହସିଲରେ ୩୬୧ଟି, ଭୋଗରାଇ ତହସିଲରେ ୩୪୦ ଟି ଓ ନୀଳଗିରି ତହସିଲରେ ୨୫୫ଟି ରାଜସ୍ୱ ଗ୍ରାମ ରହିଛି। ତେବେ ଭୂ-ଲେଖ ପୋର୍ଟାଲ୍‌ରେ ୨୯୭୦ଟି ଗ୍ରାମ ରହିଥିବା ବେଳେ ଖୁବଶୀଘ୍ର ୭୨ଟି ଗ୍ରାମ ପୋର୍ଟାଲ୍‌କୁ ଯିବା ନିମନ୍ତେ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଭୂ-ଲେଖ ପୋର୍ଟାଲ୍‌ରେ ଥିବା ୨୯୭୦ ଗ୍ରାମ ମଧ୍ୟରୁ ଭୋଗରାଇ ତହସିଲର ୩୪୦, ଜଳେଶ୍ୱରର ୨୭୧, ବାଲିଆପାଳର ୨୪୦, ବସ୍ତାର ୨୮୧, ବାଲେଶ୍ୱର ସଦରର ୨୯୭, ରେମୁଣାର ୩୨୯, ନୀଳଗିରିର ୨୫୨, ଖଇରାରେ ୩୬୧, ଔପଦାର ୮୧, ସୋରର ୧୯୧, ବାହାନଗାର ୧୭୩ ଓ ସିମୁଳିଆର ୧୫୪ ଗ୍ରାମ ରହିଛି।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ଜିଲ୍ଲାରେ ରାଜସ୍ୱ ବୃଦ୍ଧି ପାଇ ନଥିଲା। ଚଳିତ ବର୍ଷ ୧୦୫ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ୨୫୦ ଜନସଂଖ୍ୟାକୁ ଆଧାର କରି ରାଜସ୍ୱ ଗ୍ରାମ ମାନ୍ୟତା ଅପେକ୍ଷାରେ ଏବେ ବି ଜିଲ୍ଲାର ବିଭିନ୍ନ ତହସିଲରେ ଶତାଧିକ ଗ୍ରାମ ରହିଛି। ତୁରନ୍ତ ସେଗୁଡ଼ିକୁ ତହସିଲସ୍ତରରେ ବିଧିବଦ୍ଧ ଅନୁଧ୍ୟାନ କରାଯାଇ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଗଲେ ଜିଲ୍ଲାରେ ରାଜସ୍ୱ ଗ୍ରାମ ସଂଖ୍ୟା ବଢ଼ିବା ସହ ସମ୍ପୃକ୍ତ ଗ୍ରାମଗୁଡ଼ିକର ସାମୂହିକ ବିକାଶ ନିମନ୍ତେ ଅଧିକ ସରକାରୀ ଅନୁଦାନ ଆସିପାରନ୍ତା ବୋଲି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିନୟ ମହାନ୍ତି ମତ ପ୍ରକା​ଶ କରିଛନ୍ତି।