୧୩ ଡକାୟତ ଗିରଫ

ମାରଣାସ୍ତ୍ର ସମେତ ୧୫ ମୋବାଇଲ, ୬ ବାଇକ୍‌ ଜବତ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତିରେ ଏକ ଡକାୟତି ଗ୍ୟାଙ୍ଗର ୧୩ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ସମେତ ୧୫ ମୋବାଇଲ, ୬ ବାଇକ ଓ ୪ହଜାର ୩୦ ଟଙ୍କା ଜବତ କରିଛି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣ ଏବେବି ଫେରାର ଅଛନ୍ତି ।

ମଙ୍ଗଳବାର ରାତିରେ ଏହି ଡକାୟତ ଦଳର ୧୬ ଜଣ ସଦସ୍ୟ ସହରର ବାମପଦା ଛକର ଏକ ଅନ୍ଧାରୁଆ ଅଞ୍ଚଳରେ ଏକଜୁଟ୍‌ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଡକାୟତମାନେ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଚୁଡ଼ାକୁଟା ସାହି ଅଞ୍ଚଳର ବୈକୁଣ୍ଠ ବଗାଳ, ମହେଶ୍ୱର ବଗାଳ, ରାଜେନ୍ଦ୍ର ଦାସ, ରାକେଶ ଦାସ, ବିଶ୍ୱଜିତ୍‌ ଦାସ, ଗଜେନ୍ଦ୍ର ଦାସ, ସରୋଜ କୁମାର ବଗାଳ, ବିମଲ ବଗାଳ, ସତ୍ୟରଂଜନ ଦାସ, ଶୋଭାରାମପୁରର ବୀରଭଦ୍ର ହେମ୍ବ୍ରମ, ସମଲପୁରର ଶେଖ୍‌ ଜସିମ, ଟାଉନ୍‌ ଥାନା ଅନ୍ତର୍ଗତ ସୁନହଟ ଅଞ୍ଚଳର ନବକିଶୋର ଦେ ଓ ପୁରୁଣା ବାଲେଶ୍ୱରର ବାଇଧର ବାରିକ। ଏ ନେଇ ଆଜି ଆଜି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପାଞ୍ଚଳ ଆଇଆଇସି ପରେଶ କୁମାର ରାଉତ ସୂଚନା ଦେଇଛନ୍ତି।

ଥାନାରେ ୧୨୪/୨୦୧୭ରେ ଏକ ମାମଲା ରୁଜୁ ହେବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଶିଳ୍ପାଞ୍ଚଳ ଥାନା ଏଏସଆଇ ଫକୀର ଚରଣ ପ୍ରଧାନ ଓ ଅଗୁରୁ ଚରଣ ଦାସଙ୍କ ସମେତ ଥାନାର କର୍ମଚାରୀମାନେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାମପଦା ଅଞ୍ଚଳରେ ଚଢ଼ଉ କରିଥିଲେ। ଏହି ସମୟରେ ପୋଲିସ ଭ୍ୟାନକୁ ଦେଖି ଚତୁରତା ସହ ୩ ଜଣ ସେଠାରୁ ପଳାଇ ଯାଇଥିଲେ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ସମ୍ବନ୍ଧିତ ଖବର