ବସ୍ତା୨: ବସ୍ତା ଥାନା ସୀତାପୁର ଗ୍ରାମରେ ଗୁହାଳ ଘରେ ନିଆଁ ଲାଗିବା କାରଣରୁ ଦଶରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ଏହି ଗ୍ରାମର ହରିହର ସାମଲ ତାଙ୍କର ଛେଳି ଗୁହାଳରେ ଧୂଆଁ ଦେଇ ପରିବାର ସଦସ୍ୟ ଟିଭି ଦେଖୁଥିଲେ। ଏହି ସମୟରେ ହଠାତ୍ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗ୍ରାମର ଲୋକ ଦେଖି ସଙ୍ଗେ ସଙ୍ଗେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ।
ଖବର ପାଇ ମୁକୁଳିସି ସରପଞ୍ଚ ଅମିତ୍ କୁମାର ବିଶାଲ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ବସ୍ତା ତହସିଲଦାରଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଚାଳିଶଟି ଛେଳି ମଧ୍ୟରୁ ଦଶରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଥିଲା। ନିଆଁ ଲିଭାଇବାକୁ ଯାଇ ଗ୍ରାମର କିଶୋର ଜେନା ଏବଂ ହରିହରଙ୍କ ପତ୍ନୀ ଲିଲି ସାମଲ ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା।