ମାର ମୃତ୍ୟୁକୁ ନେଇ ଦୁଇପୁଅ ମଧ୍ୟରେ ଟଣାଓଟରା: ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମାକୁ ହତ୍ୟା କରାଯାଇଥିବାର ବଡ଼ ପୁୃଅଙ୍କ ଅଭିଯୋଗ

ସୋର: ମାର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦକୁ ନେଇ ଦୁଇପୁଅଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗ୍ରାମରେ ମାଳତୀ ବାରିକଙ୍କର ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ନନ୍ଦକିଶୋର ବାରିକ ଘର ଠାରୁ ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକଙ୍କ ପାଖରେ ରହୁଥିଲେ।

ସକାଳେ ମାଳତୀ ଘର ପାଖରେ ପଡ଼ିଯାଇଥିବା ବେଳେ ସାନ ବୋହୂ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ସେ ଶବ ବ୍ୟବଚ୍ଛେଦ ନ କରାଇ ଘରକୁ ନେଇଯାଇଥିଲେ। ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାକୁ ହତ୍ୟା କରାଯାଇଥିବାର ଅଭିଯୋଗ ନେଇ ଶବ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ପ୍ରଥମ ପର୍ଯ୍ୟାୟରେ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ମନା କରିବାରୁ ନନ୍ଦକିଶୋର ଅସନ୍ତୋଷ ପ୍ରକାଶ କରିବା ସହିତ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର