ବାଲେଶ୍ବର: ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି। ହେଲେ ଭାରତୀୟ ​ପୋଷ୍ଟ ଅଫିସ୍‌ ଯୋଜନା ଅଧୀନ ଡାକସେବକ ସଂସ୍ଥାରେ କାର୍ଯ୍ୟ କରି ଅବସର ନେଇଥିବା ଗ୍ରାମୀଣ ଡାକସେବକମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏଯାଏ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଫଳରେ ଭାରତର ପ୍ରାୟ ୩ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ଗ୍ରାମୀଣ ଡାକସେବକ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ସେମାନଙ୍କ ପରିବାର ଅତ୍ୟନ୍ତ ଦୁଃଖକଷ୍ଟରେ ଚଳୁଛି। ତେବେ ପଞ୍ଚମ କେନ୍ଦ୍ରୀୟ ବେତନ କମିସନ ବସିଥିବା ବେଳେ ଅବସରପ୍ରାପ୍ତ ଗ୍ରାମୀଣ ଡାକସେବକମାନଙ୍କୁ ପେନସନ୍‌ ଦେବା ପାଇଁ ସୁପାରିସ ହୋଇଥିଲା।

Advertisment

ସେହିପରି ଷଷ୍ଠ ବେତନ କମିସନ ବସିଥିବା ବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଏନେଇ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଥିଲା। ହେଲେ କିଛି ସୁଫଳ ମିଳିଲାନି। ତଥାପି ଅବସରପ୍ରାପ୍ତ ଗ୍ରାମୀଣ ଡାକସେବକମାନେ ଆଶା ଛାଡ଼ି ନାହାନ୍ତି। ୨୦୨୩ ମସିହାରେ ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯାହାର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ଏଯାଏ କୌଣସି ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ଏପରି ସମୟରେ ଓଡ଼ିଶା ଗ୍ରାମୀଣ ଡାକ ସେବକମାନେ ସରକାର ତୁରନ୍ତ ସେମାନଙ୍କର ସମସ୍ୟାକୁ ହୃଦୟଙ୍ଗମ କରନ୍ତୁ ଏବଂ ପେନ୍‌ସନ୍‌ କିମ୍ବା ଆର୍ଥିକ ଓ ଅନ୍ୟ ସହାୟତା ପ୍ରଦାନ ଦିଗରେ ପଦ​କ୍ଷେପ ନିଅନ୍ତୁ ବୋଲି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ର ଅବସରପ୍ରାପ୍ତ ଗ୍ରାମୀଣ ଡାକ ସେବକ ଶିରୀଶ ମହାନ୍ତ ଏବଂ ଅନ୍ୟମାନେ ଦାବି କରିଛନ୍ତି।