ବସ୍ତା୨: ବିଭିନ୍ନ ମାରଣାସ୍ତ୍ର ଦେଖାଇ କୌଶଳ ପୂର୍ବକ ଖଡ଼ଗପୁର ଅଞ୍ଚଳରୁ ରେଳ ସୁରକ୍ଷା ବଳ ନିକଟରୁ କରିଥିଲେ ଛିନ୍ତାଇ। ପରେ ବସ୍ତା ଥାନା ଜାତୀୟ ରାଜପଥ ଅମର୍ଦ୍ଦାରୋଡ ଏକ ହୋଟେଲରେ ନିଜକୁ ରେଳ ସୁରକ୍ଷା ବଳର ଅଧିକାରୀ ପରିଚୟ ଦେଇ ନେଇଥିଲେ ରୁମ୍। ବିଳମ୍ବିତ ରାତିରେ ହୋଟେଲରେ ଭିଆଇଥିଲେ ଆତଙ୍କ। ହୋଟେଲ କର୍ମଚାରୀଙ୍କ ମୋବାଇଲ ଚୋରିକୁ ନେଇ ତନାଘନା ସହିତ ସିସିଟିଭି ଯାଞ୍ଚରୁ ଜଣାଯାଇଥିଲା ଅପରାଧିକ କାର୍ଯ୍ୟକଳାପ । ଶେଷରେ ବସ୍ତା ପୁଲିସ ଦ୍ବାରା ତିନି କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ କାବୁ କରି ଥାନାକୁ ଅଣାଯାଇଥିବା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରୀରେ ତିନିଜଣ ସଂପୃକ୍ତ ଅପରାଧୀ ନିଜକୁ ରେଳ ସୁରକ୍ଷା ଅଧିକାରୀ କହି ହୋଟେଲରେ ରୁମ୍ ନେଇଥିଲେ। ପରେ ବିଳମ୍ବିତ ରାତିରେ ସମସ୍ତ କର୍ମଚାରୀ ଶୋଇବା ପରେ ହୋଟେଲରେ ଅପରାଧୀ ନିଜେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଅତ୍ୟଧିକ ମଦ୍ୟପାନ କରିଥିଲେ। ପରେ ହୋଟେଲରେ ଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଜିନିଷ ସହିତ କର୍ମଚାରୀଙ୍କ ମୋବାଇଲ ଚୋରି କରିଥିଲେ। ପରେ ଅନ୍ୟ ରୁମରେ ଥିବା ବ୍ୟକ୍ତିଙ୍କ କବାଟ ବାଡ଼େଇଥିଲେ ଅପରାଧୀ। ଏନେଇ ହୋଟେଲ ପରିଚାଳକଙ୍କୁ ଅବଗତ କରାଇଥିଲେ ଅନ୍ୟ ରୁମରେ ଥିବା ହୋଟେଲ ଗ୍ରାହକ। କର୍ମଚାରୀମାନେ ମୋବାଇଲ ଖୋଜାଖୋଜି କରିବା ସହିତ ମୋବାଇଲ ନପାଇ ହୋଟେଲ ମାଲିକଙ୍କୁ ଖବର ଦେଇଥିଲେ।

ମାଲିକଙ୍କ ଅନୁମତିରେ ହୋଟେଲରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ସଂପୃକ୍ତ ତିନିଜଣଙ୍କ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା। ଅପରାଧୀମାନେ  ଉଲଗ୍ନ ହୋଇ ମୋବାଇଲ ସିମ୍ ବଦଳ କରିବା ସହିତ ଅଶାଳୀନ ଫଟୋ ସହିତ ଅଶ୍ଳୀଳ ଭିଡିଓ ରେକଡ଼ିଂ କରିଥିଲେ। ହୋଟେଲ କର୍ମଚାରୀ ଏହି ସବୁ ଘଟଣା ସମ୍ପର୍କରେ ବସ୍ତା ପୁଲିସକୁ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସମୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।  ଖଡ଼ଗପୁରରୁ ଲୁଟି ହୋଟେଲରେ ଲୁଚିଥିବା ତିନି ଅପରାଧୀଙ୍କ ନିକଟରୁ ବେଆଇନ ପରିଚୟ ପତ୍ର ସହିତ ଏକ ବ୍ୟାଗ ବିଭିନ୍ନ ମାରଣାସ୍ତ୍ର ଓ ଚୋରି ସାମଗ୍ରୀ ଜବତ କରିଥିଲା ପୁଲିସ। ଏଥି ସହିତ ତିନି ଅପରାଧୀଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି ପୁଲିସ।