ଖେଳୁ ଖେଳୁ ପାଣିରେ ବୁଡିଗଲେ ୩ ଭଉଣୀ: ଦୁଇ ଉଦ୍ଧାର, ଜଣେ ମୃତ

ଜଳେଶ୍ବର : ୩ ସମ୍ପର୍କୀୟ ଭଉଣୀ ଗାଁ ଦାଣ୍ଡରେ ଖେଳୁ ଖେଳୁ ପୋଖରୀ ଭିତରକୁ ପଶିଗଲେ। ସୌଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା କେଶପୁରା ଗାଁର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଶନିବାର ଦିନ ପ୍ରାୟ ୧୧ଟା ସମୟରେ କେଶପୁରା ଗାଁର ସୁକାନ୍ତ ଦଳାଇଙ୍କ ଝିଅ ମଧୁସ୍ମିତା (୬), ବାପି ଦଳାଇଙ୍କ ଝିଅ ଦିପି (୬) ଓ ତରୁଣ ଦଳାଇଙ୍କ ଝିଅ ଖୁସି (୪) ଘରପାଖ ଗାଁ ଦାଣ୍ଡରେ ଖେଳୁଥିଲେ। ତେବେ ପରିବାର ଲୋକଙ୍କ ଅଲକ୍ଷ୍ୟରେ ଏହି ତିନି ଜଣ ଶିଶୁ ନିକଟସ୍ଥ ଲକ୍ଷ୍ମୀ ପୋଖରୀ ଭିତରକୁ ପଶିଯାଇଥିଲେ। ପାଣି ଭିତରେ ଦିପି ଓ ଖୁସି ବୁଡ଼ିଯାଉଥିବା ଦେଖି ରବୀନ୍ଦ୍ର ଦଳାଇ ନାମକ ଜଣେ ବ୍ୟକ୍ତି ପୋଖରୀକୁ ଡେଇଁପଡ଼ି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ମଧୁସ୍ମିତା ପାଣି ଭିତରେ ବୁଡ଼ିଯାଇଥିବାରୁ ତାଙ୍କ ବିଷୟରେ ରବୀନ୍ଦ୍ର କିଛି ଟେର୍‌ ପାଇନଥିଲେ। ପରେ ମଧୁସ୍ମିତାଙ୍କ ପରିବାର ଲୋକ ଝିଅକୁ ଖୋଜାଖୋଜି କରିବାବେଳେ ପୋଖରୀ ତୁଠରେ ତାର ପୋଷାକ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଖରୀ ଭିତରେ ଖୋଜିବା ପରେ ପାଣି ଭିତରୁ ମଧୁସ୍ମିତାକୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ମଧୁସ୍ମିତାକୁ ସଙ୍ଗେ ସଙ୍ଗେ ଜିକେ ଭଟ୍ଟର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର