ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ‘ମୋ ଘର’ ଯୋଜନାର ସଫଳ ରୂପାୟନ ହୋଇପାରୁନି। ଯୋଜନାରେ ହଜାର ହଜାର ଲୋକେ ସାମିଲ ହେବା ନେଇ ଆବେଦନ କରିଛନ୍ତି ସତ; ହେଲେ ଆଜିଯାଏଁ ଜଣକୁ ବି ମିଳିନାହିଁ ଋଣ। ଆବଦେନକାରୀଙ୍କ ସଂଖ୍ୟା ସିନା ବଢ଼ୁଛି, ହେଲେ କେହି ଉପକୃତ ହୋଇପାରୁ ନାହାନ୍ତି।
ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଆର୍ଥିକ ଅନଗ୍ରସର ଲୋକଙ୍କୁ ସରକାର ମୋ ଘର ଯୋଜନା ଜରିଆରେ ଘର କରିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବେ ବୋଲି ଘୋଷଣା କଲେ। ଏହି ଯୋଜନାରେ ୧ରୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ ବୋଲି କୁହାଗଲା। ଏହା ଶୁଣି ଘର କରିପାରୁ ନଥିବା ଲୋକେ ବେଶ୍‌ ଖୁସି ହୋଇଥିଲେ। ବହୁ ଲୋକ ଏହି ଯୋଜନାରେ ଆଗ୍ରହ ପ୍ରକାଶ କରି ଆବେଦନ ବି କରିଛନ୍ତି। ନିୟମ ଅନୁସାରେ, ବ୍ଲକ୍‌ସ୍ତରରେ ବିଡିଓମାନେ ଆବେଦନପତ୍ରକୁ ଯାଞ୍ଚ କରି ଯୋଗ୍ୟ ହିତାଧିକାରୀ ନାମ ତାଲିକା ବିଭିନ୍ନ ବ୍ୟାଙ୍କକୁ ପ୍ରଦାନ କରିବେ। ବିଡିଓଙ୍କ ସୁପାରିସ୍‌ କ୍ରମେ ବ୍ୟାଙ୍କ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିବା କଥା। ହେଲେ ବିଭିନ୍ନ ଆଳ ଦେଖାଇ ବ୍ୟାଙ୍କଗୁଡ଼ିକ ଋଣ ଦେଉ ନଥିବା ଅଭିଯୋଗ ହୋଇଛି। ତିନି ମାସ ହୋଇଯିବ, ଆଜିଯାଏ କାହାକୁ ବ୍ୟାଙ୍କ ଋଣ ପ୍ରଦାନ କରି ନଥିବା ଜଣାପଡ଼ିଛି। ସେପଟେ ବିଭାଗ ନିଜ କାମ ସାରିଦେଇ ଚୁପ୍‌ ହୋଇ ବସିଯାଉଛି। ଏନେଇ କୌଣସି ତଦାରଖ କରାଯାଉନାହିଁ।
ସୂଚନା ମୁତାବକ, ଜିଲ୍ଲାରେ ଆଜି ସୁଦ୍ଧା ୧୮ ହଜାର ୩୪୨ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୫ ହଜାର ୨୯୨ ଜଣଙ୍କ କ୍ଷେତ୍ରୀୟ ଯାଞ୍ଚ ହୋଇଛି। ୪ ହଜାର ୧୭ ଜଣଙ୍କର ପ୍ଲାନ୍‌ ଏଷ୍ଟିମେଟ୍‌ ଯୋଜନା ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ସେହିପରି ୫ ହଜାର ୯୦୧ଟିର ଜିଓ ଟାଗ୍ ହୋଇଥିବା ବେଳେ ୧୨୦୭ ଜଣଙ୍କ ଆବେଦନପତ୍ର ନାକଚ କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ହଜାର ୩୮୧ ଜଣଙ୍କୁ ମୋ ଘର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବ୍ୟାଙ୍କଗୁଡ଼ିକୁ ଋଣ ଦେବା ‌ଲାଗି ସୁପାରିସ୍‌ କରାଯାଇଥିଲେ ବି ଜଣଙ୍କୁ ବି ଋଣ ମିଳିନାହିଁ।
ସୂଚନା ମୁତାବକ, ଜିଲ୍ଲାର ବାହାନଗା ବ୍ଲକ୍‌ର ୧୨୮୯ରୁ ୩୬୮, ବାଲେଶ୍ବର ୧୭୧୦ରୁ ୩୬୪, ବାଲିଆପାଳର ୧୭୫୦ରୁ ୪୭୪, ବସ୍ତାର ୧୦୫୬ରୁ ୨୩୮, ଭୋଗରାଇର ୨୩୦୮ରୁ ୭୫, ଜଳେଶ୍ବରର ୧୪୬୩ରୁ ୪୫୨, ଖଇରାର ୩୪୩୭ରୁ ୩୩୫, ନୀଳଗିରିର ୭୯୩ରୁ ୨୦୦, ଔପଦାର ୫୧୫ରୁ ୯୫, ରେମୁଣାର ୧୨୦୦ରୁ ୨୧୮, ସିମୁଳିଆର ୧୩୮୮ରୁ ୧୦୮, ସୋରର ୧୪୩୩ରୁ ୫୫୪ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ହେଲେ ଏମାନଙ୍କ ଭିତରୁ ବ୍ୟାଙ୍କ କାହାକୁ ବି ଋଣ ଦେଇନାହିଁ। ବହୁ ହିତାଧିକାରୀ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ହେଲେ ଋଣ ମିଳୁନାହିଁ।
ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଂଜନ ନାୟକ କହିଛନ୍ତି, ନୂଆ କରି ଯୋଜନା ଆରମ୍ଭ ହୋଇଛି। ‌ତେଣୁ ହିତାଧିକାରୀ ଋଣ ପାଇପାରି ନାହାନ୍ତି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବ୍ୟାଙ୍କଗୁଡ଼ିକୁ ହିତାଧିକାରୀଙ୍କ ତାଲିକା ଦିଆଯାଉଛି। ସେମାନେ ପୁଣି ଏହାକୁ ଯାଞ୍ଚ କରି ଋଣ ପ୍ରଦାନ କରିବେ। ଏଥିପାଇଁ ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ବୈଠକ ହୋଇ ଏ ବାବାଦରେ କୁହାଯାଇଛି। ହିତାଧିକାରୀଙ୍କୁ କିପରି ଶୀଘ୍ର ଋଣ ମିଳିପାରିବ, ସେନେଇ ଗୁରୁତ୍ବ ଦିଆଯାଉଛି।