ରୁପ୍ସା: ବାଲେଶ୍ଵର ଜିଲ୍ଲା ବସ୍ତା ପୁଲିସକୁ ବଡ଼ ସଫଳତା । ଗିରଫ ହେଲେ ଚାରି ଆନ୍ତଃରାଜ୍ୟ ଚାରି ଚକିଆ ଯାନ ଡକାୟତ ଗ୍ୟାଙ୍ଗ । ବସ୍ତାରୁ ଡକାୟତି ହୋଇଥିବା ଏକ ଜାଇଲୋ କାର ଝାଡ଼ଖଣ୍ଡ ରାଜ୍ୟରୁ ଜବତ କରିବା ସହିତ ଘଟଣାରେ ଜଡିତ ଚାରିଜଣ ଡକାୟତକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଯେ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ନିକଟରୁ ଏକ ଜାଇଲୋ କାର(WB68U4848) ଚୋରି ପରେ ବସ୍ତା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ।
ସୂଚନା ଅନୁସାରେ ଗାଡ଼ି ମାଲିକ ସୁଜିତ ସେନଙ୍କ ଅଭିଯୋଗ କ୍ରମେ ଆଇଆଇସି ମାନସ କୁମାର ଦେଓଙ୍କ ନେତୃତ୍ବରେ ଦୁଇଜଣ ଏସ ଆଇ ଓ ଚାରିଜଣ କନଷ୍ଟେବଳଙ୍କ ସହ ଏକ ଟିମ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ , ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରି ଝାଡ଼ଖଣ୍ଡ ଅଞ୍ଚଳରୁ ଗାଡ଼ି ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବସ୍ତା ପୁଲିସ ।
ଗିରଫ ଡକାୟତମାନେ ହେଲେ ବାଲେଶ୍ଵର ସଦରଥାନା ଅଞ୍ଚଳ ର ମନୋଜ କୁମାର ନାଏକ (୨୦),ବାରିପଦା ଟାଉନଥାନା ଅଞ୍ଚଳ ର ସେକ ସଲିମ (୨୦), ସେକ ସାହିଲ (୧୯) ଏବଂ ଝାଡ଼ଖଣ୍ଡର ଘମରିଆ ଥାନା ଅଞ୍ଚଳର ଏମଡି ଇମତାଜ ଆଲାମ (୨୮ ) | ତେବେ ଅନ୍ୟ ଦୁଇ ଜଣ ଫେରାର ରହିଥିବା ଜଣାପଡିଛି।