ବାଲେଶ୍ୱର : ସ୍ତ୍ରୀର ରାସ୍ତାରେ ସ୍ୱାମୀ ସାଜିଥିଲା କଣ୍ଟା। ରାସ୍ତାରୁ ହଟାଇବା ପାଇଁ ନିଜ ଭିଣୋଇ ସହ ହାତମିଳାଇ ମାଷ୍ଟରପ୍ଲାନ ପ୍ରସ୍ତୁତ କଲା ସ୍ତ୍ରୀ। ସୁପାରି ଦେଇ ନିଜ ସ୍ୱାମୀଙ୍କୁ ହତ୍ୟା କରିବାରେ ସଫଳ ହେଲା। ଏମିତି ଏକ ଚାଞ୍ଚଲ୍ୟକର ଘଟଣାର ଆଜି ପର୍ଦାଫାଶ କରିଛି ସହଦେବଖୁଣ୍ଟା ଥାନା ପୁଲିସ୍। ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ବାସନ୍ତୀ ବେହେରା(୩୭) ସହ ଭିଣୋଇ ବାଙ୍ଗୁରୁ ଓରଫ୍ ଭାଗିରଥୀ ପାତ୍ର (୪୦) ଓ ଅନ୍ୟ ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଦୁହେଁ ହେଲେ ବାସନ୍ତୀର ଭାଇଙ୍କ ଶଳା ପଣ୍ଟୁ ଓରଫ୍ ଆକାଶ ଦାସ (୨୩) ଓ ତାର ସହଯୋଗୀ ମଦନ ଓରଫ୍ ବାଞ୍ଛାନିଧି ଚଣ୍ଡ। ହତ୍ୟାପରେ ସୁପାରି ଟଙ୍କାରେ ସେମାନେ କିଣିଥିବା ଏଲ୍ସିଡି ଟିଭି ଓ ୪ଟି ମୋବାଇଲ ଫୋନ୍କୁ ପୁଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁରର ମାଧବ ବେହେରା (୪୫) ରେମୁଣା ଗୋଲେଇରେ ଏକ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲେ। ସବୁବେଳେ ନିଶା ଖାଇ ସେ ଘରେ କଳିଝଗଡ଼ା କରୁଥିଲେ ଓ ସ୍ତ୍ରୀ ବାସନ୍ତୀଙ୍କୁ ମାରଧର କରୁଥିଲେ। ଅତିଷ୍ଠ ବାସନ୍ତୀ ମାଧବଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଯୋଜନାରେ ନିଜ ବଡ଼ ଭିଣୋଇ ବାଙ୍ଗୁରୁ ଓରଫ୍ ଭାଗିରଥୀ ବେହେରା, ଭାଇର ଶଳା ପଣ୍ଟୁ ଓରଫ୍ ଆକାଶ ଦାସ ଓ ମଦନ ଓରଫ୍ ବାଞ୍ଛାନିଧି ଚଣ୍ଡଙ୍କୁ ସାମିଲ କରିଥିଲେ। ମାଧବକୁ ହତ୍ୟା କରିବା ପାଇଁ ବାସନ୍ତୀ ଏମାନଙ୍କୁ ୫୦ ହଜାର ଟଙ୍କା ସୁପାରି ଦେଇଥିଲେ। ଯୋଜନା ମୁତାବକ ଗତ ୧୭ ତାରିଖ ଦିନ ପଣ୍ଟୁ ଓ ମଦନ ମାଧବଙ୍କୁ ଗାଡ଼ିରେ ବସାଇ ଫୁଲାଡ଼ି ଆଡ଼କୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ୧୮୦ ଏମ୍ଏମଲର ମ୍ୟାକ୍ଡେ୍ଵଲ୍-ନମ୍ବର ଓ୍ଵାନ୍ ମଦ ପିଆଇ ଦେଇଥିଳେ। ନିଶା ଚଢ଼ିଯିବା ପରେ ରାସ୍ତାରେ ପକାଇ ତାଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ମୁଣ୍ଡରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ। ସହଦେବଖୁଣ୍ଟା ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପରେଶ କୁମାର ରାଉତ ଘଟଣାର ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି; ମାଧବ ଓ ବାସନ୍ତୀଙ୍କ ବାହାଘର ୨୦ ବର୍ଷ ପୂର୍ବରୁ ହୋଇଥିଲା। ବର୍ଷେ ପରେ ସେମାନଙ୍କର ଝିଅ ଜନ୍ମ ହୋଇଥିଲା। ମାଧବ ସବୁବେଳେ ମଦ ପିଇ ଝଗଡ଼ା, ମାରପିଟ୍ ଓ ଭଙ୍ଗାରୁଜା କରୁଥିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବାସନ୍ତୀ ଘରଛାଡ଼ି ବାପଘରକୁ ଚାଲି ଯାଇଥିଲେ। ସେଠାରେ ତାଙ୍କର ଅଧିକାଂଶ କଥା ବାଙ୍ଗୁରୁ ଓରଫ୍ ଭାଗିରଥୀ ବୁଝାବୁଝି କରୁଥିଲେ। ଏମିତିକି କିଛିଦିନ ପୂର୍ବରୁ ବାସନ୍ତୀଙ୍କ ଝିଅ ବାହାଘର ପାଇଁ ମଧ୍ୟ ବାଙ୍ଗୁରୁ ସମସ୍ତ ଦାୟିତ୍ୱ ନେଇଥିଲେ। ପରେ ମାଧବଙ୍କ ନାଁରେ ଥିବା ସମ୍ପତ୍ତି ହାତେଇବା ପାଇଁ ଚକ୍ରାନ୍ତ ହୋଇଥିଲା। ଭିଣୋଇ ବାଙ୍ଗୁରୁଙ୍କ ସହ ମିଶି ଷଡ଼ଯନ୍ତ୍ର କରି ବାସନ୍ତୀ ଦୀର୍ଘ ୧୮ବର୍ଷ ପରେ ପୁଣି ମାଧବଙ୍କ ନିକଟକୁ ଫେରିଥିଲେ। ମାଧବ ଉକ୍ତ ସମ୍ପତ୍ତିକୁ ତାଙ୍କ ଝିଅ ନାଁରେ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ତେବେ ସବୁଦିନ ପାଇଁ ବାସନ୍ତୀ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ହତ୍ୟା କରିଥିବା ମାଧବଙ୍କ ଭାଇ ଯାଦବ ଅଭିଯୋଗ କରିଥିଲେ। ଘଟଣା ପରଦିନ ଯାଦବଙ୍କ ଏତଲା ଭିତ୍ତିରେ ସହଦେବଖୁଣ୍ଟା ଥାନାରେ କେସ ନମ୍ବର ୩୦୫/୧୭ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା।