ଖଡ଼ଗପୁର ଷ୍ଟେସନରୁ ୪ ଅନ୍ତଃରାଜ୍ୟ ଲୁଟେରା ଗିରଫ

ବନ୍ଧୁକ, ଜୀବନ୍ତ ଗୁଳି, ଖୁର, ମୋବାଇଲ ସହ ଟଙ୍କା ଜବତ: ଧରାପଡ଼ିଥିବା ଲୁଟେରା ଦିଲ୍ଲୀ ସୁଲତାନପୁର ଅଞ୍ଚଳର

ବାଲେଶ୍ବର: ଚେନ୍ନାଇ-ସାନ୍ତ୍ରାଗାଚ୍ଛି ଟ୍ରେନ୍‌ରେ ବିଭିନ୍ନ ଯାତ୍ରୀଙ୍କୁ ଲୁଟ୍‌ କରିଥିବା ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୪ ସଦସ୍ୟକୁ ଧରିଛି ରେଳ ବିଭାଗର ଟାକ୍ସଟିମ୍‌। ଧରାପଡ଼ିଥିବା ଲୁଟେରାମାନେ ହେଲେ ରାକେଶ (୩୮), ବସନ୍ତ (୨୪), ରାଜେନ୍ଦ୍ର (୩୬) ଓ ରବି (୩୦)। ସମସ୍ତଙ୍କ ଘର ନୂଆଦିଲ୍ଲୀର ସୁଲତାନପୁର ଅଞ୍ଚଳରେ। ଗିରଫ ବେଳେ ସେମାନଙ୍କଠାରୁ ୨୭ ହଜାର ୧୪୦ଟଙ୍କା ସହ ଜୀବନ୍ତ ଗୁଳି ଭର୍ତ୍ତି ଥିବା‌ ଗୋଟିଏ ଦେଶୀବନ୍ଧୁକ, ୩ଟି ଭେନିଟି ବ୍ୟାଗ୍‌, ୨ଟି ଖୁର, ଗୋଟିଏ ଗାଡ଼ି ଚାବି, ୪ଟି ବ୍ୟାଗ୍‌ ଓ ୭ଟି ମୋବାଇଲ ଜବତ କରାଯାଇଛି।
ଅଭିଯୁକ୍ତମାନଙ୍କୁ ଖଡ଼ଗପୁର ଜିଆରପି ଥାନାକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କ ବିରୋଧରେ କେସ୍‌ ନଂ-୨୧୧/୧୮ରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ଖବରରୁ ପ୍ରକାଶ ଯେ, ଗତ ୪ ତାରିଖରେ ଚେନ୍ନାଇ-ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସରେ ବିଭିନ୍ନ ଯାତ୍ରୀଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ବିଶେଷ ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ ଆରପିଏଫ୍‌ର ସ୍ବତନ୍ତ୍ର ଟାସ୍କ ଟିମ୍‌ ନଜର ରଖିଥିଲା। ଗତ ୧୦ ତାରିଖରେ ଏହି ଟ୍ରେନ୍‌ ବାଲେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ସେମାନେ ଏଥିରେ ଉଠିଥିଲେ। ଖଡ଼ଗପୁର ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ସେମାନଙ୍କୁ ଟାସ୍କ ଟିମ୍‌ ଧରିନେଇ ପଚରାଉଚୁରା କରିଥିଲା। ୫ ଜଣ ଲୁଟେରା ଥିବା ବେଳେ ଅନ୍ୟ ଜଣେ ମଧ୍ୟ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ତେବେ ଲୁଟେରା ଗ୍ୟାଙ୍ଗ୍‌ର ରାକେଶକୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର