କରୋନା ମୃତ୍ୟୁରେ ରେକର୍ଡ, ଦିନକରେ ବାଲେଶ୍ବରରୁ ୮ ଜଣ

ବାଲେଶ୍ବର: ଦୈନିକ କରୋନା ମୃତ୍ୟୁରେ ଆଜି ବାଲେଶ୍ବରରେ ରେକର୍ଡ ୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଓ ଦ୍ବିତୀୟ ଲହର ସୁଦ୍ଧା ଆଜିର ମୃତ୍ୟୁସଂଖ୍ୟା ହେଉଛି ସର୍ବାଧିକ।

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି ୮ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୨ ଜଣ ଯୁବକ, ୫ ଜଣ ମଧ୍ୟବୟସ୍କ ଏବଂ ଜଣେ ୮୧ ବର୍ଷର ବୃଦ୍ଧ ଅଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୧୪୮ରେ ପହଞ୍ଚିଛି। ଯଦିଓ ଜିଲ୍ଲାରେ ପୂର୍ବାପେକ୍ଷା ସଂକ୍ରମଣ ହାର ହ୍ରାସ ପାଇଛି, କିନ୍ତୁ ଏହା ଆଶ୍ବସ୍ତିଜନକ ନୁହେଁ। ଏବେ ବି ଦୈନିକ ସଂକ୍ରମଣ ୧୦୦ ଉପରେ ରହୁଥିବା ବେଳେ ଆଜି ୧୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୪ ଜଣ ସହରାଞ୍ଚଳରୁ ଏବଂ ଅବଶିଷ୍ଟ ୧୪୪ ଜଣ ଗ୍ରାମାଞ୍ଚଳରୁ ଅଛନ୍ତି। ଜିଲ୍ଲାରେ ୩୬ ହଜାର ୨୬୧ ସଂକ୍ରମିତଙ୍କ ମଧ୍ୟରୁ ୩୪ ହଜାର ୩୬୧ ଜଣ ସୁସ୍ଥ ହୋଇଛନ୍ତି। ୧ ହଜାର ୭୪୭ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସଂକ୍ରମଣ ଓ ମୃତ୍ୟୁହାର‌ କମୁନଥିବାରୁ କଟକଣା ମଧ୍ୟରେ ଜିଲ୍ଲାବାସୀଙ୍କୁ ରହିବାକୁ ପଡୁଛି। ପୂର୍ବରୁ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା। ଆସନ୍ତାକାଲିଠାରୁ କଟକଣା କୋହଳ ହୋଇଛି। ସକାଳ ୬ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିଲେ ମଧ୍ୟ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଓ ପ୍ରତି ଶନିବାର, ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଗ୍ରାମାଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯିବା ସହ ଟେଷ୍ଟିଂକୁ ଆହୁରି ତ୍ବରାନ୍ବିତ କରିବା ଜରୁରି ହୋଇଛି।

ସମ୍ବନ୍ଧିତ ଖବର