୯୧ କଇଁଛ ଉଦ୍ଧାର, ୨ ବେପାରୀ ଗିରଫ, ପଶ୍ଚିମବଙ୍ଗ ହେଉଥିଲା ଚାଲାଣ

ନିୟମିତ ଚାଲାଣ, ଜାଣିପାରୁନି ବନବିଭାଗ, ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଲମ୍ବିଛି ଚେର

ବାଲେଶ୍ୱର(ମନୋଜ କୁମାର ରାଉଳ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ରାଜଘାଟ ରେଳ ଷ୍ଟେସନରୁ ଗୁରୁବାର ପୂର୍ବାହ୍ନରେ ୯୧ଟି ଦେଶୀ ପ୍ରଜାତିର କଇଁଛ ଚୋରା ଚାଲାଣ ବେଳେ ଉଦ୍ଧାର କରାଯାଇଛି। ଏଥିସହ ଦୁଇ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ପାଞ୍ଚକୋଣିଆ ଗାଁର କାର୍ତ୍ତିକ ପାତ୍ର(୨୮) ଓ ଭୋଗରାଇ ଥାନା କଲେଇ ଗାଁର ରବୀନ୍ଦ୍ର ପ୍ରଧାନ(୩୫)। ବାଲେଶ୍ୱରରୁ ଟ୍ରେନ୍‌ଯୋଗେ ଉକ୍ତ କଇଁଛ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଆରପିଏଫକୁ ସୂଚନା ମିଳିବା ପରେ ରାଜଘାଟସ୍ଥିତ ଷ୍ଟେସନରୁ ସେମାନଙ୍କୁ ଧରାଯାଇଥିଲା। ଗିରଫ ଦୁଇ ବେପାରୀଙ୍କ ସହ ଉଦ୍ଧାର କଇଁଛଗୁଡ଼ିକୁ ବନବିଭାଗର ଚାନ୍ଦିପୁର ରେଂଜକୁ ହସ୍ତାନ୍ତର କରାଯାଇଛି।

ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ନିୟମିତ ଭାବେ ଶହଶହ ସଂଖ୍ୟାରେ ଦେଶୀକଇଁଛ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ର‍୍ୟାକେଟ୍‌ ସକ୍ରିୟ ଭାବେ କାମ କରୁଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦେଶୀପ୍ରଜାତିର କଇଁଛ ସଂଗ୍ରହ କରିବା ପରେ ପଶ୍ଚିମବଙ୍ଗର ସମ୍ପୃକ୍ତ ବେପାରୀଙ୍କୁ ସୂଚନା ଦିଆଯାଉଛି। ସେମାନେ ଆସି ଏକ ନିର୍ଦ୍ଦିଷ୍ଟ ଜାଗାରେ ସେଗୁଡ଼ିକୁ ମୂଲଚାଲ କରିବା ପରେ ବସ୍ତାରେ ପ୍ୟାକିଂ କରି ନେଉଛନ୍ତି। ଏହି କଇଁଛଗୁଡ଼ିକୁ ଏଠାରୁ କେଜି ପ୍ରତି ୨୦୦ ଟଙ୍କାରୁୁ ୨୫୦ ଟଙ୍କାରେ କିଣାଯାଇ ପଶ୍ଚିମବଙ୍ଗରେ ତାହା କେଜି ପ୍ରତି ୪୫୦ ଟଙ୍କାରୁ ୫୦୦ଟଙ୍କାରେ ବିକ୍ରି କରାଯାଉ ଥିବା ଜଣାପଡ଼ିଛି। ତେବେ ଗିରଫ ହୋଇଥିବା ସମ୍ପୃକ୍ତ ୨ ବେପାରୀଙ୍କ ଠାରୁ ଜବତ ହୋଇଥିବା ଉକ୍ତ ୯୧ଟି କଇଁଛ ସୋର ଥାନା ଅଧୀନ ସବିରା ଓ ସିମୁଳିଆ ଥାନା ମାର୍କୋଣା ଅଞ୍ଚଳରୁ ଟ୍ରେନ୍‌ଯୋଗେ ପଶ୍ଚିମବଙ୍ଗକୁ ଯାଉଥିଲା। ୩ଟି ଅଖା ବସ୍ତାରେ ସେଗୁଡ଼ିକୁ ଭର୍ତ୍ତି କରି ସେମାନେ ନେଉଥିବା ବେଳେ ରାଜଘାଟ ଷ୍ଟେସନରେ ଧରାପଡ଼ିଥିଲେ।

୨ କଇଁଛ ବେପାରୀଙ୍କ ବିରୋଧରେ ଓଡ଼ିଶା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଉଲ୍ଲଂଘନ ଅନୁସାରେ ଧାରା -୯ ଓ ଧାରା-୧୧ ମୂଳେ, ୩୮ସିଏସ/୨୦୧୮ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଏଥିସହ ଉକ୍ତ ର‍୍ୟାକେଟ୍‌କୁ ଧରିବା ପାଇଁ ତୁରନ୍ତ ତଦନ୍ତ ଆରମ୍ଭ କରାଯିବା ସହ ଯେଉଁମାନଙ୍କ ସେଥିରେ ସମ୍ପୃକ୍ତି ରହିଥିବା ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

-ଚାନ୍ଦିପୁର ବନାଞ୍ଚଳର ରେଂଜ ଅଫିସର ପ୍ରଫୁଲ୍ଲ ମଲ୍ଲିକ

ଅନ୍ୟପକ୍ଷରେ ଜବତ ହୋଇଥିବା ସମସ୍ତ କଇଁଛଗୁଡ଼ିକୁ ଆସନ୍ତାକାଲି ନିକଟସ୍ଥ ଏକ ନଦୀରେ ଛଡ଼ାଯିବ ବୋଲି ରେଂଜ ଅଫିସର ଶ୍ରୀ ମଲ୍ଲିକ କହିଥିଲେ। କଇଁଛ ଚାଲାଣ ବେଳେ ରୂପ୍‌ସା ସ୍ଥିତ ରେଲେଓ୍ଵ ଆଉଟପୋଷ୍ଟର ସବ୍‌ଇନ୍ସପେକ୍ଟର ଭଗବାନ ସିଂଙ୍କ ସମେତ ଚାନ୍ଦିପୁର ବନାଞ୍ଚଳର ଡେପୁଟି ରେଞ୍ଜର ମନୁଆର ଖାଁ, ଫରେଷ୍ଟ ଗାର୍ଡ ଜୟଦେବ ମଲ୍ଲିକ, ପ୍ରହଲ୍ଲାଦ ନାୟକ, ଶଶିଧର ମହାନ୍ତି ପ୍ରମୁଖ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ କଇଁଛଗୁଡିକୁ ଉଦ୍ଧାର କରିଥିଲେ।

ଗିରଫ ଦୁଇ ବେପାରୀଙ୍କ କହିବା ଅନୁଯାୟୀ, ସବିରା ଅଞ୍ଚଳରେ ‘ବାପି’ ନାମକ ଜଣେ ବେପାରୀଙ୍କ ଠାରୁ ସେମାନେ ଏହି କଇଁଛ ନେଉଛନ୍ତି। ସେ ନିଜ ଅଞ୍ଚଳରୁ ଏଗୁଡ଼ିକ ସଂଗ୍ରହ କରିବା ପରେ ତାଙ୍କୁ ଖବର ଦେଇଥାଏ। ମାତ୍ର ତାର ପୂରା ଠିକଣା ସେମାନେ କହି ପାରିନଥିଲେ। ପ୍ରତି ସପ୍ତାହ କିମ୍ବା ୧୫ ଦିନରେ ଥରେ ସେମାନେ ବାଲେଶ୍ୱର ଆସି ଏହି କଇଁଛ ତା’ ଠାରୁ ନେଉଥିବା କହିଥିଲେ। ଦେଶୀ କଇଁଛର ମାଂସ ବହୁ ସ୍ୱାଦିଷ୍ଟ ହୋଇଥିବା ବେଳେ ସେଥିରେ ବିଭିନ୍ନ ଔଷଧୀୟ ଗୁଣ ରହିଛି। କିନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନରେ ଏହାକୁ ଧରିବା ଓ ଶିକାର କରିବା ନେଇ ନିଷେଧାଦେଶ ରହିଥିବା ହେତୁ ଚୋରା ବ୍ୟବସାୟ କରାଯାଉଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ମଧ୍ୟରେ ଏହିଭଳି ବାଲେଶ୍ୱର ରେଳ ଷ୍ଟେସନରୁ ୫୦ଟି ଦେଶୀକଇଁଛ ଜବତ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର କଇଁଛ ନେଇ ଯାଉଥିବା ବେପାରୀ ସେଠାରୁ ଖସି ପଳାଇ ଥିଲେ। ଅନ୍ୟପକ୍ଷରେ ଆଜି ଧରା ପଡ଼ିଥିବା ବେପାରୀଙ୍କ କହିବା ଅନୁଯାୟୀ ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବେ କଇଁଛ ନେଉଛନ୍ତି। ତେବେ ପ୍ରଶ୍ନଉଠୁଛି, ଦୀର୍ଘଦିନ ଧରି ଜିଲ୍ଲାରେ ଚାଲିଥିବା ଏହି ବେଆଇନ କାରବାର ସମ୍ପର୍କରେ ବନବିଭାଗ ଜାଣିପାରୁ ନାହିଁ କିପରି? ଏହି ଚୋରା ଚାଲାଣ ର‍୍ୟାକେଟ୍‌ରେ ବନ ବିଭାଗ କର୍ମଚାରୀମାନଙ୍କର ଭିତିରିଆ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚ ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଖୁବଶୀଘ୍ର ଦେଶୀକଇଁଛ ଭଳି ବନ୍ୟପ୍ରାଣୀଙ୍କର ଲୋପ ପାଇଯିବ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି।

କଇଁଛ ଚାଲାଣ ବେଳେ ରୂପ୍‌ସା ସ୍ଥିତ ରେଲେଓ୍ଵ ଆଉଟପୋଷ୍ଟର ସବ୍‌ଇନ୍ସପେକ୍ଟର ଭଗବାନ ସିଂଙ୍କ ସମେତ ଚାନ୍ଦିପୁର ବନାଞ୍ଚଳର ଡେପୁଟି ରେଞ୍ଜର ମନୁଆର ଖାଁ, ଫରେଷ୍ଟ ଗାର୍ଡ ଜୟଦେବ ମଲ୍ଲିକ, ପ୍ରହଲ୍ଲାଦ ନାୟକ, ଶଶିଧର ମହାନ୍ତି ପ୍ରମୁଖ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ କଇଁଛଗୁଡିକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର