ସୋର: ସ୍ୱାମୀସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ପୁଲିସ। ମିଳିଥିବା ମଦ ବୋତଲରୁ ହତ୍ୟାକାଣ୍ଡର ଗୁମର ଖୋଲିଥିବା ବେଳେ ଜମି ବିକ୍ରି ଟଙ୍କାକୁ ନେଇ ଭାଇଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା, ଯେଉଁଥିପାଇଁ ସାନ ଭାଇ ଓ ଜଣେ ସହଯୋଗୀ ବଡ଼ ଭାଇ ଓ ଭାଉଜକୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ତରଫରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ ସୋର ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମର ବୁଦ୍ଧିରାମ ବେହେରାଙ୍କର ଦୁଇ ପୁଅ ବଡ଼ପୁଅ ରଘୁନାଥ ଓ ସାନ ପୁଅ ମଧୁସୂଦନ। ରଘୁନାଥ ଘର ପାଖରେ ଦୀର୍ଘ ୧୨ ବର୍ଷ ଧରି ଗ୍ରାମର ଜନବସତି ଠାରୁ ୨୦୦ ମିଟର ଦୂର ବାଲିପଡ଼ିଆ ନିକଟରେ ଏକ କୁକୁଡ଼ା ଫାର୍ମ କରିଥିଲେ। ରଘୁନାଥଙ୍କର ଫାର୍ମ ନିକଟରେ ମଧୁସୂଦନ ମଧ୍ୟ ଏକ ଫାର୍ମ କରି କ୍ଷତି ସହିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। ଗତ କିଛି ମାସ ତଳେ ଜମି ବିକ୍ରି ହୋଇଥିବା ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ମଧୁସୂଦନ ଗତ ଏକ ମାସ ତଳେ ବାହାର ରାଜ୍ୟରୁ ଘରକୁ ଆସିଥିଲେ। ଘରକୁ ଆସିବା ପରେ ହତ୍ୟାକାଣ୍ଡର ଚାରିଦିନ ପୂର୍ବରୁ ମଧୁସୂଦନ କରିଥିବା ଫାର୍ମରେ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ମାନସ ଜେନା ସହିତ ବସି ଭାଇ ଓ ଭାଉଜକୁ ହତ୍ୟା କରିବାର ଯୋଜନା କରିବା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ରଖିଥିଲେ।
ଗତ ୧ ତାରିଖ ଦିନ ରାତିରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ପ୍ରତିଦିନ ଭଳି ଫାର୍ମକୁ ଶୋଇବାକୁ ଯାଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୂଦନ ଓ ମାନସ ଫାର୍ମ ଆଗରେ ଜଗି ବସିଥିଲେ। ତାଙ୍କ ଭାଇ ଓ ଭାଉଜ ପହଞ୍ଚିବା ମାତ୍ରେ ପ୍ରଥମେ ମୁହଁ ଓ ଦେହକୁ ଏସିଡ ଫିଙ୍ଗିଥିଲେ ଏବଂ ପରେ ଧାରୁଆ ଛୁରି ଓ ଖଣ୍ଡା ସାହାଯ୍ୟରେ ଉଭୟଙ୍କ ଗଳାକାଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଏସିଡ ବୋତଲ ଓ ଖଣ୍ଡାକୁ ନିକଟସ୍ଥ ପୋଖରୀକୁ ଫିଙ୍ଗିବା ସହିତ କିଛି ଦୂରରେ ଏକ ଝାଟି ବୁଦାରେ ଛୁରିକୁ ଲୁଚାଇଥିଲେ। ହତ୍ୟାକାଣ୍ଡର ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୧୩୧/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଛାନଭିନ ଆରମ୍ଭ କରିଥିଲେ। ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରୁ ବ୍ୟବହୃତ ମଦ ବୋତଲ ଜବତ କରିଥିଲେ। ଜବତ ମଦ ବୋତଲର ବ୍ୟାଚ ନମ୍ବରରୁ ମଦ କିଣାଯାଇଥିବା ମଦ ଦୋକାନକୁ ଯାଇ ସିସିଟିଭି ଫୁଟେଜ ସହାୟତାରେ ମଧୁସୂଦନକୁ ଅଟକ ରଖି ଘଟଣାର ଛାନଭିନ କରୁଥିବା ବେଳେ ମଧୁସୂଦନ ଓ ତାଙ୍କର ସହଯୋଗୀ ସମସ୍ତ ଘଟଣା ବାବଦରେ ସ୍ୱୀକାର କରିଥିଲେ। ଏହାପରେ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ସିନ ରିକ୍ରିଏସନ କରି ବ୍ୟବହୃତ ହୋଇଥିବା ଖଣ୍ଡା, ଛୁରି ଓ ଏସିଡ ବୋତଲକୁ ପୋଖରୀରୁ ଜବତ କରିଥିଲା।