ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଟ୍ରକକୁ ଏକ ଆମ୍ବୁଲାନ୍ସ ପିଟିବା ଫଳରେ ୨ କର୍ମଚାରୀଙ୍କ ସମେତ ୫ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୨ ଗୁରୁତର ଥିବା ଜଣାଯାଇଛି। ଭୋଗରାଇ ବ୍ଲକ ଦାରୁହା ଗ୍ରାମରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ନେଇ ବାଲେଶ୍ୱର ଆସୁଥିବା ବେଳେ ହଳଦୀପଦା ନିକଟରେ ଭୋର ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଚାଳକ ବଳରାମ ନାୟକ (୩୬)
ହେଲପର୍ ସନ୍ତୋଷ କୁମାର ମହାନ୍ତି (୩୦), ଫାର୍ମାସିଷ୍ଟ ଗଣେଶ ଚନ୍ଦ୍ର ପ୍ରଧାନ (୨୬) ରୋଗୀ, ଜ୍ୟୋତ୍ସ୍ନାରାଣୀ ମଞ୍ଜ (ତାରୁଆଁ) ଓ ତାଙ୍କ ସ୍ବାମୀ ହୃଷିକାନ୍ତ ମଞ୍ଜ।
ସୂଚନାଯୋଗ୍ୟ, ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ପରେଶ ଚନ୍ଦ୍ର ସାହୁଙ୍କ ପତ୍ନୀ ସଞ୍ଜୁରାଣୀ ସାହୁ (୩୦)।ଦାରୁହା ଗ୍ରାମରେ ଶନିବାର ଜନୈକ ବ୍ୟକ୍ତିଙ୍କ ଘରେ ନାମ ସଂକୀର୍ତ୍ତନ ଅବସରରେ ଭୋଜି ଆୟୋଜନ ହୋଇଥିଲା। ମଧ୍ୟାହ୍ନରେ ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଘରକୁ ଫେରିଥିଲେ। ରବିବାର ସକାଳେ କିଛି ଲୋକଙ୍କ ପେଟ କାଟିବା ସହିତ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢ଼ି ଶହେ ଟପି ଯାଇଥିଲା। କିଛି ଲୋକ ସ୍ଥାନୀୟ ଅଞ୍ଚଳରେ ଥିବା ଘରୋଇ ଡାକ୍ତର ଓ ଔଷଧ ଦୋକାନୀଙ୍କଠାରୁ ଔଷଧ ଆଣି ଖାଇଥିବା ବେଳେ ଅନ୍ୟ କିଛି ଲୋକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।
ସୋମବାର ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା। ଝାଡ଼ାବାନ୍ତି ବ୍ୟାପିଥିଲେ ମଧ୍ୟ ଗାଁରେ ଡାକ୍ତରୀ ଦଳ ନପହଞ୍ଚିବାରୁ ବାଧ୍ୟ ହୋଇ ଆଜି ୫୦ରୁ ଊର୍ଦ୍ଧ୍ବ ଲୋକ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୁରାଣୀଙ୍କ ମୃତ୍ୟୁ ହେବାରୁ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଆହୁରି ୧୦ରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.କମଳାକାନ୍ତ ଜେନାଙ୍କ ସହିତ ଏକ ଡାକ୍ତରୀ ଦଳ ଦାରୁହା ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସେପଟେ ବାଲେଶ୍ବରରୁ ମଧ୍ୟ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଗରାଇ ବ୍ଲକ୍ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ବିଡିଓ ଶଙ୍କର ପଟ୍ଟନାୟକ, ତହସିଲଦାର କମଳାକାନ୍ତ ପଣ୍ଡା ପ୍ରମୁଖ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।
ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ୨ ଗୁରୁତର
/sambad/media/post_attachments/wp-content/uploads/2021/02/ambulance-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)