ଯମଦୂତ ସାଜିଲା ଆମ୍ବୁଲାନ୍‌ସ: ରୋଗୀଙ୍କ ସହ ୨ ମୃତ, ୬ ଗୁରୁତର

ହଳଦୀପଦାରେ ଟ୍ରକ୍‌କୁ ପିଟିଲା : ଖୁଣ୍ଟାରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା

ବାଲେଶ୍ୱର/ରୁପ୍‌ସା/ବାଲିଆପାଳ/ଖୁଣ୍ଟା: ଦେବଦୂତ ସାଜି ସଂଗେ ସଂଗେ ଦୁର୍ଘଟଣାସ୍ଥଳରେ ପହଂଚିଯାଉଥିବା ୧୦୮ ଆମ୍ବୁଲାନ୍‌ସ ଏବେ ଯମଦୂତ ପାଲଟିଗଲାଣି। ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଏହା ଦୁର୍ଘଟଣାର ସମ୍ମୁଖୀନ ହେଉଛି। ଆଜି ଉତ୍ତରଓଡ଼ିଶାରେ ଏମିତି ଦୁଇଟି ଦୁର୍ଘଟଣା ଘଟିଛି। ବାଲେଶ୍ବରରେ ଏକ ଆମ୍ବୁଲାନ୍‌ସ ଛିଡ଼ା ହୋଇଥିବା ଟ୍ରକ୍‌ର ପଛକୁ ଧକ୍କା ଦେଇଥିବା ବେଳେ ରୋଗୀଙ୍କ ସହ ଜଣେ ସଂପର୍କୀୟ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାରେ ଆମ୍ବୁଲାନ୍‌ସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ଯୋଗୁ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ; ଭୋର୍‌ରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ହାସିମପୁରରୁ ହୃଦ୍‌ରୋଗୀ ରାଜେଶ ମିତ୍ରଙ୍କୁ ନେଇ ଓଡି-୦୧ଜି-୨୫୩୮ ନମ୍ବରର ଏକ ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଡାକ୍ତରଖାନା ଅଭିମୁଖେ ଯାଉଥିଲା। ତେବେ ରାତିରେ ହଳଦୀପଦା ଗେମନ୍‌ବ୍ରିଜ୍‌ ନିକଟରେ ଡବ୍ଲୁବି-୨୯ଏ-୭୩୯୬ ନମ୍ବରର ଏକ ଟ୍ରକ୍‌କୁ ଏପି-୧୬ଟିବି-୫୦୨୧ ନମ୍ବରର ଟ୍ରକ୍‌ ଧକ୍କା ଦେଇଥିବା ଯୋଗୁ ସେଠାରେ ଉଭୟ ଠିଆହୋଇ ରହିଥିଲେ। ତେବେ ପ୍ରାୟ ସାଢ଼େ ୫ଟା ବେଳେ ଆମ୍ବୁଲାନ୍‌ସଟି ଦ୍ରୁତଗତିରେ ଆସି ସମ୍ପୃକ୍ତ ଟ୍ରକ୍‌ ମଧ୍ୟରୁ ଗୋଟିଏ ଟ୍ରକ୍‌ର ପଛକୁ ଧକ୍କା ଦେଇଥିଲା। ଫଳରେ ରୋଗୀଙ୍କ ସଂପର୍କୀୟ ଶାନ୍ତିଲତା ମିତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହା ସହ ଆମ୍ବୁଲାନ୍ସର ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲ୍‌ପର ବିଶ୍ୱଜିତ ମହାନ୍ତ, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତ ଏବଂ ରୋଗୀ ର‌େ‌ଜଶ ତଥା ତାଙ୍କ ସମ୍ପର୍କୀୟ ଯଶୋବନ୍ତ ଚକ୍ରବର୍ତ୍ତୀ ଓ ସୁନିତା ମିତ୍ର ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହ ଏନ୍‌ଏଚ୍‌ଏଆଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଖବର ଲେଖାହେବା ବେଳକୁ ଚିକିତ୍ସାଧୀନ ଥିବା ରୋଗୀ ରାଜେଶଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକଠାରେ ପୂର୍ବାହ୍ନରେ ଅନ୍ୟ ଏକ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରୋଗୀ ନେବାକୁ ଖୁଣ୍ଟାରୁ ଉଦଳା ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା‌। ଫଳରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସତ୍ୟବାନ ଗିରି ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲ୍‌ପରଙ୍କୁ ସୁରକ୍ଷିତ ଭାବେ ଗାଡ଼ି ଭିତରୁ ଉଦ୍ଧାର କରାଯାଇଛି। ଆହତ ଫାର୍ମ‌ାସିଷ୍ଟଙ୍କୁ ସ୍ଥାନୀୟ ଲୋକେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର