ଭୋଗରାଇ(ଦିଲ୍ଲୀପ କୁମାର ଦାସ): କୌଣସି ତାଲିମ ନନେଇ ଗାଁ’ର ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଖଗେଶ୍ୱରପୁର ଗାଁ’ର ମା’ ଲକ୍ଷ୍ମୀ କୁଟୀର ଶିଳ୍ପ ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଏମିତି କମାଲ କରି ଦେଖାଇଛନ୍ତି। ସେମାନେ ନଡ଼ିଆ ପିଞ୍ଛରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରିବା ସହ ତାକୁ ବିକି ବେଶ୍‌ ଲାଭବାନ ହୋଇପାରିଛନ୍ତି।
ଭୋଗରାଇ ବ୍ଲକ୍‌ କଖଡ଼ା ପଞ୍ଚାୟତ ଅଧୀନ ଖଗେଶ୍ୱରପୁର ଏକ ନିପଟ ମଫସଲ ଗାଁ। ୨୦୧୪ ମସିହାରେ ଗାଁ’ର ୨୦ରୁ ଅଧିକ ମହିଳା ମିଶି ମା’ ଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ। ମିସନ ଶକ୍ତିରୁ ୫୦ ହଜାର ଟଙ୍କା ଋଣ ଆଣି ନଡ଼ିଆ ପିଞ୍ଛରେ ଝାଡ଼ୁ ସହ ଫୁଲ ଚାଙ୍ଗୁଡ଼ି, ପାଛିଆ, ଡଲା ପରି ବିଭିନ୍ନ ଗୃହ ଉପକରଣ ଜିନିଷ ତିଆରି ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଅଳ୍ପ ବ୍ୟବସାୟ ହେଉଥିବା ବେଳେ ଏବେ ବର୍ଷକୁ ବ୍ୟବସାୟ ୩ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ମହିଳାମାନେ ଜଣକା ମାସକୁ ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଭୋଗରାଇ ଅଞ୍ଚଳର ବହୁ ପରିମାଣରେ ନଡ଼ିଆ ଗଛ ଥିବା ବେଳେ ବ୍ୟବସାୟ ପାଇଁ କଞ୍ଚାମାଲ ସହଜରେ ମିଳିଯାଉଛି। ଫଳରେ ଲାଭ ଅଧିକ ହେଉଛି। ତେବେ ଏହି ସବୁ ସାମଗ୍ରୀ ବିକ୍ରି ପାଇଁ ଏବେ ବି ଉପଯୁକ୍ତ ବଜାର ନାହିଁ। ମିସନ ଶକ୍ତି ବଜାର ଓ ବିଭିନ୍ନ ଜିଲ୍ଲାସ୍ତରୀୟ ବାଣିଜ୍ୟ ମେଳାରେ ଉତ୍ପାଦ ବିକ୍ରି ହେଉଛି।

Advertisment

ଏପରି ସମୟରେ ସରକାରୀସ୍ତରରେ ମାଆ ଲକ୍ଷ୍ମୀ କୁଟୀର ଶିଳ୍ପ ଉତ୍ପାଦକ ଗୋଷ୍ଠୀକୁ ଏକ ସ୍ଥାୟୀ ଗୃହ ଯୋଗାଇଦେବା ସହ ଅଧିକ ବିକ୍ରି ପାଇଁ ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ର ଦୀଘା, ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର, ବାଶୁଳୀ ପୀଠରେ ଷ୍ଟଲ୍‌ ବ୍ୟବସ୍ଥା କଲେ ବ୍ୟବସାୟ ଆହୁରି ବଢ଼ିପାରନ୍ତା ବୋଲି ଗୋଷ୍ଠୀର ସଭାନେତ୍ରୀ ସୁକାନ୍ତି ଜେନା, ଜୀବିକା ମିସନ ସହଯୋଗୀ ସଭ୍ୟା ପଦ୍ମାବତୀ ବାରିକ, ସଭ୍ୟା ଉଷାରାଣୀ ସାହୁ, ଏମ୍‌ବିକେ ସବିତା ସେନାପତି ଓ ସମାଜସେବୀ ଭୂପେନ୍ଦ୍ର ନାଥ ବେହେରା ପ୍ରକାଶ କରିଛନ୍ତି।