ଜଳେଶ୍ୱର : ଜଳେଶ୍ୱରର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗୁରୁବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ମାତ୍ର ୬ ମିନିଟ୍‌ ଭିତରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଲୁଟେରାମାନେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ କ୍ୟାସ୍‌ ଭଲ୍‌ଟ ରୁମ୍‌ରେ ପୂରାଇ ବାହାରୁ କବାଟ ବନ୍ଦ୍‌କରି ଦେଇଥିଲେ। କ୍ୟାସ୍‌ କାଉଣ୍ଟରରୁ ସବୁ ଟଙ୍କା ଅଖାରେ ଭରିନେଇ ପଳାଇଥିଲେ। ଖବର ପାଇ ପାଞ୍ଚ ମିନିଟ୍‌ ମଧ୍ୟରେ ପୁଲିସ ପହଞ୍ଚିଥିଲେ ବି ଲୁଟେରାଙ୍କ ପତ୍ତା ପାଇନି। ବାଲେଶ୍ୱର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିିଛି। ଆଠମାସ ଭିତରେ ଜଳେଶ୍ୱରରେ ଏହା ଦ୍ୱିତୀୟ ବ୍ୟାଙ୍କ ଲୁଟ୍‌। ସେତେବେଳେ ସୁଗୋ ୟୁକୋ ବ୍ୟାଙ୍କରୁ ୨୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା।

Advertisment

ଗୁରୁବାର ଥିଲା । ବଜାର କି ବ୍ୟାଙ୍କରେ ସେମିତି ଖାସ୍‌ ଭିଡ଼ ନଥିଲା। ଅପରାହ୍ନ ୩ଟା ବେଳେ ବ୍ୟାଙ୍କରେ ୪ ଜଣ କର୍ମଚାରୀ ଓ ୭ ଜଣ ଗ୍ରାହକ ଉପସ୍ଥିତ ଥିଲେ। ଏତିକି ବେଳେ ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିିଥିଲେ। ଅପରାହ୍ନ ୩ଟା ୫ରେ ଆରମ୍ଭ ହୋଇଥିଲା ଅପରେସନ୍‌ ଲୁଟ୍‌। ହଠାତ୍‌ ବନ୍ଧୁକ ଦେଖାଇ ଲୁଟେରାମାନେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ କାବୁ କରିନେଲେ। ଧମକ ଦେଇ କ୍ୟାସ୍‌ ଭଲ୍‌ଟ ରୁମ୍‌ରେ ପୂରାଇ ବାହାରୁ ବନ୍ଦ୍‌କରିଦେଲେ। ପରେ ବିନାବାଧାରେ କ୍ୟାସ୍‌ କାଉଣ୍ଟରରୁ ଟଙ୍କା ବାହାର କରି ଏକ ଅଖା ବ୍ୟାଗ୍‌ରେ ପୂରାଇ ଜଣକ ପରେ ଜଣେ ତଳକୁ ଓହ୍ଲାଇଗଲେ। କ୍ୟାସିୟର ନରେନ୍ଦ୍ର ସାହୁ ଡକାୟତଙ୍କୁ ଖାତିର ନକରି ବ୍ୟାଙ୍କର ସାଇରନ ବଜାଇ ଦେଇଥିଲେ। ଶବ୍ଦ ଶୁଣି ନୂଆବଜାରର ମନୋଜ ଯୋଶୀ ଓ ନହଂଜରାର ଶୁଭାଶିଷ ପାଳ ଲୁଟେରାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ବି ବନ୍ଧୁକ ଦେଖାଇ ସେମାନେ ଫେରାର ହୋଇ ଯାଇଥିଲେ।