ନୀଳଗିରି: ନିହାଣ ମୁନରେ ନିର୍ଜୀବ ପଥରକୁ ଜୀବନ ଦେବାରେ ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବଉଳଗଡ଼ିଆ ଗ୍ରାମର ପଥରଶିଳ୍ପୀଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ଗ୍ରାମର ଶତାଧିକ ଶିଳ୍ପୀ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ମଧ୍ୟ ନିଜ କଳାର ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ମଧ୍ୟ ବଉଳଗଡ଼ିଆର ଶତାଧିକ ଶିଳ୍ପୀ ଲାଗିଛନ୍ତି। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍‌ ବଉଳଗଡ଼ିଆ ଗ୍ରାମକୁ ପଥରଶିଳ୍ପୀଙ୍କ କାରଖାନା ବୋଲି କୁହାଯାଏ। ଯେଉଁଠାରେ ରହିଛି ପଥର ମୂର୍ତ୍ତି ତାଲିମ କେନ୍ଦ୍ର।

Advertisment

୧୯୭୯ ମସିହାରୁ ଏହି କେନ୍ଦ୍ରରେ ଶତାଧିକ ଯୁବକ ପଥର ମୂର୍ତ୍ତି ନିର୍ମାଣ କୌଶଳ ଶିଖି ବିଶ୍ୱରେ ବହୁ ସ୍ଥାନରେ ନିଜର ପାରଦର୍ଶିତା ଦର୍ଶାଇ ଆସିଛନ୍ତି। ଗ୍ରାମର ସୁବ୍ରତ ମହାରଣା ଓ କାର୍ତ୍ତିକ ମହାରଣା ଦୁଇଭାଇ ଲାଗିଛନ୍ତି ମନ୍ଦିରର ପାର୍ଶ୍ବ ଦେବାଦେବୀ ନିର୍ମାଣରେ। ଉକ୍ତ ଦୁଇଭାଇଙ୍କ ଅଧୀନରେ ଗ୍ରାମର ୫୦ ଜଣ ଶିଳ୍ପୀ କାମ କରୁଛନ୍ତି। ଗ୍ରାମର ଗୌତମ ମଢୁଆଳ ମଧ୍ୟ ବହୁଦିନ ଧରି ସେଠାରେ କାର୍ଯ୍ୟରତ। କିଛିଦିନ ତଳେ ମା’ଙ୍କ ଦେହାନ୍ତ ଖବର ପାଇ ଘରକୁ ଆସିଥିବା ବେଳେ ଦଶାହ କାମ ସାରି ପୁଣି ମନ୍ଦିର ନିର୍ମାଣ କାମକୁ ଫେରିଛନ୍ତି।