ବାଲେଶ୍ୱର: ଅରୁଣ ଦେ ଖାଲି ଜଣେ ଅସାଧାରଣ ବ୍ୟକ୍ତିତ୍ବ ନଥିଲେ, ଓଡ଼ିଶାର ବ୍ୟବସ୍ଥାପିକା ଇତିହାସରେ ଥିଲେ ଅନନ୍ୟ। ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଜାନକୀ ପଟ୍ଟନାୟକଙ୍କ ସରକାରଙ୍କ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାରେ ତାଙ୍କର ପ୍ରତିନିଧିତ୍ବ ସବୁ​ ସମୟରେ ପ୍ରାସଙ୍ଗିକ ହୋଇ ରହିବ। ରାଜନୀତିରେ ବିଜୟ, ପରାଜୟ ତାଙ୍କୁ ଆଦୌ ପ୍ରଭାବିତ କରି ପାରିନଥିଲା। ଜଣେ ଅତ୍ୟୁଚ୍ଚ ରାଜନେତା ଭାବେ ସେ ଅନେକ ଅଲିଭା ସାକ୍ଷର ଛାଡ଼ି ଯାଇଛନ୍ତି। ପ୍ରଚଣ୍ଡ ଜ୍ଞାନରେ ପରିପୁଷ୍ଟ ଥିଲେ ମଧ୍ୟ ସେ କେବେ ବି ଭିଆଇପି ଭଳି ଆଚରଣ ଦେଖାଉନଥିଲେ ବୋଲି ଆଜି ‘ଭଏସ୍‌ ଅଫ୍‌ ବାଲେଶ୍ବର ପକ୍ଷରୁ ଆୟୋଜିତ ବାଲେଶ୍ବରର ଭୂତପୂର୍ବ ବିଧାୟକ ତଥା ନିର୍ଭୀକ ଜନନେତା ସ୍ବର୍ଗତ ଅରୁଣ ଦେଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Advertisment

publive-image
ସହଦେବଖୁଣ୍ଟାସ୍ଥିତ ମାହେଶ୍ବରୀ ଭବନରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆଇନଜୀବୀ ଉତ୍ପଳ ମହାନ୍ତିଙ୍କ ସଂଯୋଜନାରେ ‘ସମାଜରେ ନିର୍ଭୀକ ମଣିଷମାନଙ୍କ ଅଭାବ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ‘ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ଅମୀୟ ପାଣ୍ଡବ, ପୂର୍ବତନ ବିଧା​ୟକ ସୁଦର୍ଶନ ଯେନା, ବିଧାୟକ ସୁକାନ୍ତ ନାୟକ, କବି ପ୍ରଶାନ୍ତ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବରଦାପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ବନଲତା ସେଠୀ, ବିଜେଡି ନେତା ଗୋପୀନାଥ ସେନାପତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଓ ଜୟନ୍ତ ଦାସ, ବାଲେଶ୍ବର ସଦର ବ୍ଲକ୍ ଅଧ୍ୟକ୍ଷା ସୁନୀତା ବେହେରା ଯୋଗ ଦେଇ ସ୍ବର୍ଗତ ଦେଙ୍କ ସଂଘର୍ଷମୟ, ସାଲିସବିହୀନ, ରାଜନୈତିକ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।
ସ୍ୱର୍ଗତ ଦେ ଦଳିତ, ନିଷ୍ପେସିତଙ୍କ ପାଇଁ କିଭଳି କାମ କରୁଥିଲେ, ସେ ସମ୍ପର୍କରେ ପୂର୍ବତନ ସାଂସଦ ଶ୍ରୀ ଜେନା ଆଲୋକପାତ କରିଥିବା ବେଳେ ସାମାନ୍ୟ ଏକ ପରିବାରରୁ ଆସି ମାତ୍ର ୨୯ ବର୍ଷ ବୟସରେ ବିଧାନସଭାକୁ ନିର୍ବାଚିତ ହେବା କିଛି ଛୋଟିଆ କଥା ନୁହେଁ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ପାଣ୍ଡବ କହିଥିଲେ। ଅରୁଣଙ୍କ ଭଳି ଜଣେ ଜନନାୟକଙ୍କୁ ବାଲେଶ୍ୱର ମାଟି ପାଇଥିବାରୁ ଲୋକେ ଗର୍ବ ଅନୁଭବ କରନ୍ତି ବୋଲି ଦର୍ଶାଇଥିଲେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା। ‘ସମ୍ବାଦ’ର ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ବିଧାନସଭାରେ ସ୍ବର୍ଗତ ଦେ ଉଠାଇଥିବା ସମସ୍ତ ପ୍ରସଙ୍ଗକୁ ଏକାଠି କରି ଏକ ପୁସ୍ତକ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରାରମ୍ଭରେ ଦାଦାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ନେତ୍ରୀ ସଂଘମିତ୍ରା ଜେନାଙ୍କୁ ଅରୁଣ ସ୍ମୃତିରେ ସମ୍ମାନିତ କରାଯାଇଥିବା ବେଳେ ଚଳିତବର୍ଷ ମହାବିଦ୍ୟାଳୟ ଓ ବିଦ୍ୟାଳୟ ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ କର୍ମକର୍ତା ଶାନ୍ତନୁ ଦାସ, ନିଶିଥ୍ କୁମାର ବାରିକ, ଲମ୍ବୋଦର ବେହେରା, ହେମନ୍ତ ମହାନ୍ତି, ରାଜେନ୍ଦ୍ର ଦାସ, ରାଜାରାମ ପାତ୍ର, ପର୍ଶୁରାମ ସାହୁ, ବାପି ରାଉତ, ରାଜକିଶୋର ପାତ୍ର, ଗୋପାଳ ଚନ୍ଦ୍ର ଜେନା, ରାହୁଲ ଦେ, ଅରିଜିତ ଘୋଷାଲ, ଗୌତମ ସେଠୀ, ମାୟାଧର ରାଉତ ପରିଚାଳନା କରିଥିଲେ।