ଚଢ଼ଉ ବେଳେ ତହସିଲ୍‌ଦାରଙ୍କୁ ଆକ୍ରମଣ, କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ବର : ଏକ ଏକାଦଶାହ ଭୋଜି ଚାଲିଥିବା ଖବର ପାଇ ଚଢ଼ଉ କରିବା ସମୟରେ ବାଲେଶ୍ବର ସଦର ତହସିଲ୍‌ଦାର୍‌ଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଏପରିକି, ତହସିଲ୍‌ର କର୍ମଚାରୀମା‌ନଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ରମେଶ ରାଉତଙ୍କ ପତ୍ନୀ ହାରାମଣି ରାଉତଙ୍କ କରୋନାରେ ଆକ୍ରାନ୍ତ ଥାଇ ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଏକାଦଶାହ ଥିବାବେଳେ ଏଥିରେ ଆଖପାଖ ଗାଁର ୫ଶହରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା। ଉଦ୍‌ବେଗର ବିଷୟ କରୋନା ଯୋଗୁଁ ପରିବାର ଜଣେ ସଦସ୍ୟଙ୍କୁ ହରାଇଛି। ଆଉ ଜଣେ ସଦସ୍ୟ କୋ‌ରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏଭଳି କଠୋର ପରିସ୍ଥିତିରେ ଓ ସରକାରୀ କଟକଣାକୁ ଖାତିର ନକରି ୫ଶହ ଲୋକଙ୍କ ପାଇଁ ଆୟୋଜନ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସର୍ବାଧିକ ୨୦ଜଣ ଲୋକଙ୍କୁ ଅନୁମତି ଥିବାବେଳେ ବ୍ୟକ୍ତି ଜଣକ ନିୟମ ଉଲ୍ଲଂଘନ କରି ଏକ ବଡ଼ ଭୋଜି ଆୟୋଜନ କରିଥିଲେ।

ଖବର ପାଇ ରାତି ସାଢ଼େ ୮ଟା ବେଳେ ସଦର ତହସିଲ୍‌ଦାର ଅନାମିକା ସିଂହ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଶହ ଶହ ଲୋକଙ୍କ ପାଇଁ ଭୋଜି ‌ଆୟୋଜନ ଦେଖି ତୁରନ୍ତ କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ କହିଥିଲେ। ଚଢ଼ଉ ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସମର୍ଥକମାନେ ତହସିଲଦାରଙ୍କୁ ଘେରି ଆକ୍ରମଣ କରିଥିଲେ। ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଠେଙ୍ଗାବାଡ଼ିରେ ଆକ୍ରମଣ କରିଥିଲେ। ସେଠାରେ ପାଖାପାଖି ଘଣ୍ଟାଏ କାଳ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର