ସୋର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମୁନିପଦା ନିକଟରେ ୱାର୍ଡ ସଭ୍ୟଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଖଇରା ଥାନା ତୁଟ ଗାଁର କିଛି ଯୁବକ ୱାର୍ଡ଼ସଭ୍ୟଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏଥିସହିତ ତାଙ୍କର ବାଇକକୁ ମଧ୍ୟ ନିଆଁ ଲଗାଇଦେଇଥିଲେ। ସଙ୍ଗେ ସଙ୍ଗେ ନିଆଁ ଲିଭାଇଦେବା ପରେ ବି ଗାଡ଼ିର କିଛି ଅଂଶ ପୋଡ଼ିଯାଇଛି। ଦୀପକଙ୍କୁ ଦୁର୍ବୃତ୍ତମାନେ ପ୍ଲାଷ୍ଟିକ ପାଇପରେ ପିଟିପିଟି ଗୁରୁତର କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି।

ଖଇରା ବ୍ଲକ ଡ଼ାଲଙ୍ଗ ଗାଁର ୬ନଂ ୱାର୍ଡର ୱାର୍ଡ ସଭ୍ୟ ଦୀପକ ପାଣିଗ୍ରାହୀ ଏକ ସମାଧାନ ପାଇଁ ଜଳଦା ପଞ୍ଚାୟତ ସମ୍ପେଇ ଗାଁକୁ ଯାଇଥିବା ବେଳେ ସମାଧାନ ସାରି ଘରକୁ ଫେରୁଥିଲେ।  ତୁଟ ମୁନିପଦାଠାରେ ୭ରୁ ଅଧିକ ଯୁବକ ମୁଁହରେ ଲୁଗାବାନ୍ଧି ପାଇପରେ ତାଙ୍କୁ ଆକ୍ରମଣ କରିଥିଲେ। ଦୀପକ ଜୀବନ ବିକଳରେ ଦୌଡ଼ିଥିବା ବେଳେ ଦୁର୍ବୃତ୍ତ ମଧ୍ୟ ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଦୀପକକୁ ଖଇରା ମେଡିକାଲକୁ ଆଣିଥିଲେ।

ଆକ୍ରମଣରେ ଦୀପକଙ୍କର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଛି। କିଛି ଦିନ ତଳେ ତୁଡ଼ିଗଡିଆ ବଜାରରେ କିଛି ଗଣ୍ଡଗୋଳକୁ ନେଇ ତୁଟ ଗାଁର କିଛି ଯୁବକ ସହିତ ଦୀପକଙ୍କର ସହିତ ମନାନ୍ତର ହୋଇଥିଲା। ସେହି ଘଟଣାକୁ ନେଇ ଦୀପକକୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।