ବାବା ଚନ୍ଦନେଶ୍ବରଙ୍କ ଚଡ଼କମେଳାର ମହା ନୀଳପର୍ବ ଉଦ୍‌ଯାପିତ

୩ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ:ଭୁଷଣ୍ଡେଶ୍ବରରେ ବି ହଜାର ହଜାର ଶ୍ରଦ୍ଧାଳୁ

ଆଜି ପାଟପର୍ବ
ଭୋଗରାଇ/ଚନ୍ଦନେଶ୍ବର/ଦେଉଳା(ଇମିସ): ବାବା ଚନ୍ଦନେଶ୍ବରଙ୍କ ଚଡ଼କ ମେଳାର ମହା ନୀଳପର୍ବ  ଉଦ୍‌ଯାପିତ ହୋଇଛି। ଚନ୍ଦନେଶ୍ବରଙ୍କ ଏହି ମହାନ ପର୍ବରେ ଦେଶର ବିଭିନ୍ନ ପ୍ରାନ୍ତରରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଛି। ଆଜି ଶ୍ରଦ୍ଧାଳୁ ଓ ଭକ୍ତମାନେ ଚନ୍ଦନେଶ୍ବରଙ୍କଠାରେ ନୀଳପର୍ବ ପାଳନ କରି ଜଳାଭିଷେକ କରିଥିଲେ।
କୌଳିକ ପ୍ରଥା‌ ଅନୁଯାୟୀ, ଅପରାହ୍ନରେ ପାଟଭକ୍ତା, ଶ୍ରୀବେକଡ଼ି ଓ ଦେଉଳିଆ ଭକ୍ତ ଓ ସେବାୟତମାନଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାଡ଼ଷରିସା ଗ୍ରାମର ହାକାଣ୍ଡ ପୋଖରୀକୁ ଯାଇଥିଲେ। ସେଠାରୁ ଚନ୍ଦନେଶ୍ବରଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ବିହୁଡ଼ି ଜାଳି ନୀଳ ପୋଖରୀକୁ ଆସି ଚନ୍ଦନେଶ୍ବରଙ୍କ ଚଳନ୍ତି ପ୍ରତିମା ଥମ୍ବିକାଠ ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଭକ୍ତମାନେ ନୀଳ ପୋଖରୀରୁ ଶିବ ଓ ଦୁର୍ଗାଙ୍କର ଦୁଇଟି ଥମ୍ବିକାଠ ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ଭକ୍ତମାନେ ନୀଳ ପୋଖରୀରୁ ଶିବ ଓ ଦୁର୍ଗାଙ୍କର ଦୁଇଟି ଥମ୍ବିକାଠ ଉତ୍ତୋଳନ କରି ବନ୍ଧଣ ଦ୍ବାରରେ ସ୍ଥାପନ କରିଥିଲେ। ଏହାପରେ ୧୩ ଜଣ ଭକ୍ତଙ୍କ ଦ୍ବାରା ଶେଷ ବେକଡ଼ା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଅର୍ଘ୍ୟଦାନ କରିବା ଦ୍ବାରା ଚଢ଼କ ମେଳାର ଦ୍ବିତୀୟ ଅର୍ଘ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଆସନ୍ତାକାଲି ଚନ୍ଦନେଶ୍ବର ଚଡ଼କ ମେଳାର ପାଟପର୍ବ ପାଳନ ସହିତ ଦୀର୍ଘ ୧୩ ଦିନ ଧରି ଚାଲିଥିବା ଏହି ମହାନ ପର୍ବ ଉଦ୍‌ଯାପିତ ହେବ। ପାଟ ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ। ଅର୍ଥାତ୍‌ ଚଡ଼କ ମେଳାର ପାଟପର୍ବ ହେଉଛି ଶ୍ରେଷ୍ଠ ପର୍ବ। ଏହା ଭାତୃତ୍ବର ଏକ ମହାନ ପର୍ବ। ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ଦେଇ ଆସନ୍ତା ବର୍ଷକୁ ସ୍ବାଗତ କରନ୍ତି। ଚଳିତ ବର୍ଷ ସାଗର ସାଥି, ସତ୍ୟସାଇ ସେବା ଦଳ ସଫେଇ ଓ ଉଦ୍ଧାର କାର୍ଯ୍ୟରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଚନ୍ଦନେଶ୍ବର ମଠ ବାଡ଼ିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ଚିକିତ୍ସା ଶିବିରରେ ୧୯ଶହରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି। ୨୦ ଜଣ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅସ୍ଥାୟୀ ଶିବିରରେ ଡା. କମଳାକାନ୍ତ ଜେନା, ଉତ୍ତମ ଦଣ୍ଡପାଟ, ମାନିକ ରଞ୍ଜନ ପ୍ରଧାନଙ୍କ ସମେତ ୧୫ ଜଣ ଡାକ୍ତର ନିଯୁକ୍ତ ଅଛନ୍ତି। ଆଜିର ମେଳାରେ ମୌରସୀ ଜୟନାରାୟଣ ପଣ୍ଡା, ସେବାୟତ ତପନ ପଣ୍ଡା, ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୀଠରେ ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ପସରା ମେଲାଇଛନ୍ତି।
ସେହିପରି ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଭୁଷ‌ଣ୍ଡେଶ୍ବରରେ ମଧ୍ୟ ନୀଳପର୍ବ ଅବସରରେ ଚନ୍ଦନେଶ୍ବରଙ୍କ ନୀତିକାନ୍ତି ଅନୁଯାୟୀ ଅର୍ଘ୍ୟଦାନ ସମ୍ପନ୍ନ ହୋଇଛି। ଏହି ପୀଠରେ ଆଜି ହଜାର ହଜାର ଭକ୍ତ ପାଣିରୁ ଥମ୍ବିକାଠ ଉଠାଇବା ସହ ପୂଜାର୍ଚ୍ଚନା କରିଥିଲେ। ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର