ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ରାସ୍ତାରେ ଭାସୁଛି ପାଇଖାନା ମଳ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଲଡିଂର ପାଇପ୍‌ ଫାଟି ପାଇଖାନା ପାଣି ଓ ମଳ ରାସ୍ତା ଉପରେ ଭାସୁଛି। ଫଳରେ ଲୋ‌କେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରସୂତି ବିଭାଗର ଏଭଳି ଦୃଶ୍ୟ ନିତିଦିନିଆ ଘଟଣା ପାଲଟିଛି। ବିଲଡିଂ ଚାରିପାର୍ଶ୍ବରେ ଏପରି ଦୃଶ୍ୟ ଅଧିକାଂଶ ସମୟରେ ଦେଖିବାକୁ ମିଳୁଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବି ଏହାର ସ୍ଥାୟୀ ସମାଧାନ ହେଉନାହିଁ। ଏହାକୁ ନେଇ ଡାକ୍ତରଖାନାର ଡାକ୍ତର, କର୍ମଚାରୀ, ରୋଗୀ ଏବଂ ତାଙ୍କ ସଂପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରସୂତି ବିଭାଗର ବିଲଡିଂର ଏହି ଗୋଟିଏ ସ୍ଥାନରେ ପ୍ରାୟ ଅଧିକାଂଶ ସମୟରେ ପାଇପ୍‌ରୁ ପାଇଖାନା ପାଣି ଝରୁଥାଏ। ଏହି ଅପରିଷ୍କାର ପାଣି ଲୋକଙ୍କ ଦେହରେ ପଡ଼ୁଛି। ଯାହାଫଳରେ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଯିବା ବେଳେ ଡାକ୍ତର, କର୍ମଚାରୀ ଓ ଲୋକେ ନାକରେ ଲୁଗା ଦେଇ ସାବଧାନତା ସହ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଡାକ୍ତରଖାନା ପରିସର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ହେଲେ ବିଡ଼ମ୍ବନା, ବାରମ୍ବାର ଅଭିଯୋଗ ସତ୍ତ୍ବେ ଡାକ୍ତରଖାନା ପକ୍ଷରୁ ସ୍ଥାୟୀ ପ୍ରତିକାର କରା ଯାଉନାହିଁ। ଏମିତି ସମସ୍ୟା ଲାଗିରହିବାରୁ ପାଣି ଝରିଝରି ବିଲଡିଂ ନଷ୍ଟ ହେବାକୁ ବସିଲାଣି। ତେଣୁ ଏ ଦିଗରେ ଡାକ୍ତରଖାନା କର୍ତ୍ତୃପକ୍ଷ ଗୁରୁତ୍ବ ଦେଇ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର