କରୋନାରେ ମାନବିକତାର ମୃତ୍ୟୁ। କରୋନା ଯେତିକି ଯନ୍ତ୍ରଣା ଦେଉନି, ତା’ଠାରୁ ଅଧିକ କଷ୍ଟ ଦେଉଛି ସମ୍ବେଦନହୀନତା। କେଉଁଠି ମୃତ୍ୟୁ ପରେ କାନ୍ଧ ମିଳୁନି ତ ଆଉ କେଉଁଠି ରୋଜଗାର ହରାଇଥିବା ଲୋକ ଭଡ଼ା ଦେଇ ନପାରି ଘର ଛାଡ଼ୁଛି। ଦୁର୍ଭାଗ୍ୟର ବିଷୟ ଜଣେ ୧୫/୨୦ ଜଣ ଦୃଷ୍ଟିହୀନ ଯୁବକଯୁବତୀଙ୍କୁ ଏହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି।
ସେମାନଙ୍କ ମଧ୍ୟରୁ ଦୃଷ୍ଟିହୀନ ଯୁବକ ହେଲେ ଦେବକାନ୍ତ ଦାସ। ବାଲେଶ୍ବର ଜିଲ୍ଲା ସୋର ଥାନା ବଢ଼େଇସାହିର ଜଣଙ୍କ ଘରେ ଦେବକାନ୍ତ ଏବଂ ତାଙ୍କ ସହ ଆଉ ୧୫/୨୦ ଜଣ ଦୃଷ୍ଟିହୀନ ଯୁବକଯୁବତୀ ଗତ ଜାନୁଆରି ମାସରୁ ରହିଆସୁଥିଲେ। ଶ୍ରୀ ଦାସ ଏହି ଦୃଷ୍ଟିହୀନ ଯୁବକଯୁବତୀଙ୍କ କଲ୍ୟାଣ ନିମନ୍ତେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଖୋଲି ସେମାନଙ୍କୁ ବିଭିନ୍ନ କାମରେ ଲଗାଇଥିଲେ। ଘରଭଡ଼ା ବି ନିୟମିତ ଦିଆଯାଉଥିଲା। ତେବେ କରୋନା ସାଙ୍ଗକୁ ଲକଡାଉନ ଆରମ୍ଭ ହୋଇଯିବାରୁ ପାଖରେ ଆର୍ଥିକ ସଂକଟ ଦେଖାଦେଲା। ଖାଇବା ରହିବାରେ ଦୃଷ୍ଟିହୀନମାନେ ବହୁ ଅସୁବିଧା ଭୋଗିଲେ। ଏହାପରେ ଶ୍ରୀ ଦାସ ୪/୫ ଜଣଙ୍କୁ ନିଜ ପାଖରେ ରଖି ଅନ୍ୟ ଦୃଷ୍ଟିହୀନଙ୍କୁ ତାଙ୍କ ଘରକୁ ପଠାଇଦେଲେ। ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ, ସେ ଜୁନ୍ ମାସର ଭଡ଼ା ଦେବାକୁ ମଧ୍ୟ ଅସମର୍ଥ ହେଲେ। ବର୍ଷ ବର୍ଷ ଧରି ଯାହାକୁ ନିୟମିତ ଭଡ଼ା ଦେଉଥିଲେ, ଏ ବିପଦ ସମୟରେ ଘରମାଲିକ ସେମାନଙ୍କୁ ଭୁଲିଗଲେ। ପୁଣି ସେଇମାନଙ୍କୁ ଯେଉଁମାନଙ୍କ ପ୍ରତି ସମ୍ବେଦନଶୀଳତା ଅଧିକ ରହିବା କଥା। ଭଡ଼ା ଦେଇ ନ ଥିବାରୁ ଘର ମାଲିକଙ୍କ ପତ୍ନୀ ତୁରନ୍ତ ଘର ଖାଲି କରିବାକୁ ଧମକ ଦେଇଥିଲେ। ବାଧ୍ୟ ହୋଇ ଦୃଷ୍ଟିହୀନମାନଙ୍କୁ ଥାନା ଆଗରେ ଧାରଣାରେ ବସିବାକୁ ପଡ଼ିଥିଲା। ପୁଲିସର ହସ୍ତକ୍ଷେପ ପରେ ସେମାନେ ସେ ଭଡ଼ାଘରକୁ ଫେରିଥିଲେ।
–ବାଲେଶ୍ବରରୁ ମନୋଜ କୁମାର ରାଉଳ
Advertisment
Sambad is now on WhatsApp
Join and get latest news updates delivered to you via WhatsApp