ବାଲେଶ୍ୱର: ଶିଶୁ ମୃତ୍ୟୁ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଧାରଣା

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ଅବହେଳା କାରଣରୁ ଗୁରୁବାର ରାତିରେ ଏକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ତା’ର ପରିବାର ଲୋକେ ଆଜି ସକାଳୁ ଧାରଣା ଦେଇ ପ୍ରତିବାଦ କରୁଛନ୍ତି।

ମୃତ ଶିଶୁଟି ହେଉଛି ବସ୍ତା ଅଞ୍ଚଳର ଶିଆଳିଆପଦା ଗ୍ରାମ ନିବାସୀ ସୁଶାନ୍ତ ରାଉତଙ୍କ ୪ ବର୍ଷୀୟ ଝିଅ ଲକ୍ଷ୍ମୀପ୍ରିୟା ରାଉତ। ଲକ୍ଷ୍ମୀପ୍ରିୟାର ଆଖିପତା ଉପର କପାଳରେ ଭାତୁଡ଼ି ଭଳି ଆବୁଟାଏ ବାହାରିଥିଲା। ମାର୍ଚ ୨୭ ତାରିଖ ଦିନ ପରିବାର ଲୋକେ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ଦେଖାଇଥିଲେ। ଅସ୍ତ୍ରୋପଚାର କରାଗଲେ ତାହା ଠିକ୍‌ ହୋଇଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ଓ ସେହି ଅନୁସାରେ ମାର୍ଚ ୨୮ ତାରିଖ ଦିନ ପ୍ରାୟ ୧ଟା ବେଳେ ନିଶା ଦିଆଯାଇ ଡାକ୍ତର ନାରାୟଣ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଲକ୍ଷ୍ମୀପ୍ରିୟାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ କିନ୍ତୁ, ଲକ୍ଷ୍ମୀପ୍ରିୟାଙ୍କର ଆଉ ଚେତା ଫେରି ନ ଥିଲା। ତାକୁ ସେହି ଅବସ୍ଥାରେ ସାଧାରଣ ଓ୍ଵାର୍ଡରେ ରଖାଗଲା ଓ କ୍ରମଶଃ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବାରୁ ରାତି ୧୦: ୩୦ ତାକୁ ଡାକ୍ତରଖାନାର ଶିଶୁଭବନ ଓ୍ଵାର୍ଡକୁ ନିଆ ଯାଇଥିଲା।

ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ କହି ରାତି ପ୍ରାୟ ୧:୪୦ ସେଠାରୁ ତାଙ୍କୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ କୁହାଗଲା। ସେତେବେଳେ ୧୦୮ ଆମ୍ବୁଲାନ୍‌ସ୍‌ ନ ମିଳିବାରୁ ଲକ୍ଷ୍ମୀପ୍ରିୟାର ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍‌ସ୍‌ରେ ତାକୁ କଟକ ନେଇଗଲେ। ସେମାନେ ଚରମ୍ପା ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀପ୍ରିୟାର ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ହେବାରୁ ବାଟରେ ଥିବା ଏକ ୧୦୮ ଆମ୍ବୁଲାନ୍‌ସ୍‌ର ଲୋକଙ୍କ ଦ୍ୱାରା ତା’ର ଯାଞ୍ଚ କରାଇଥିଲେ। ସେମାନେ କହିଥିଲେ କି, ସେ ମୃତ।

ଏଥର ପରିବାର ଲୋକେ ଲକ୍ଷ୍ମୀପ୍ରିୟାର ଶବ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଫେରିଥିଲେ। ଡାକ୍ତରଙ୍କ ଅବହେଳା କାରଣରୁ ଲକ୍ଷ୍ମୀପ୍ରିୟାର ମୃତ୍ୟୁ ଘଟିଥିବା ଅଭିଯୋଗ କରି ସେମାନେ ଡାକ୍ତରଖାନାର ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ବସିଛନ୍ତି।

ସମ୍ବନ୍ଧିତ ଖବର