ବାଲେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଲା ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ରାଜ୍ୟର ୬୧ତମ କରୋନା ଆକ୍ରାନ୍ତ ବାଲେଶ୍ୱରରୁ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ସଂପୃକ୍ତ ଅଞ୍ଚଳରୁ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ବାଲେଶ୍ୱର ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିଲାଗି ୩ଟି ୱାର୍ଡର ୯ଟି ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଆକ୍ରାନ୍ତଜଣକ ନିଳିଆବାଗ ଅଞ୍ଚଳର ବୋଲି ଜଣାପଡ଼ିଛି । ତେଣୁ ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପୁଲିସ । ଚିଡିଆପୋଲ ନିକଟରୁ ରାଣୀପାଟଣା ଛକ ଏବଂ ଶ୍ରୀନିକ୍ସ କଲେଜ ନିକଟସ୍ଥ ମହାନାଳ ଯାଏ ସିଲ୍ କରାଯାଇଛି ।

ଲୋକେ ଘରୁ ନ ବାହାରିବାକୁ ଏନେଇ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ସଂପୃକ୍ତ ଅଞ୍ଚଳରୁ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ ନିଲୁ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାରୁ ଗତକାଲି ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପୂର୍ବରୁ ପଡୋଶୀ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରୁ ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର